ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଅଞ୍ଚଳରେ ଉଠା ଜଳସେଚନ ବିଭାଗ, ବରଗଡ଼ ପକ୍ଷରୁ ଚାଷୀ ମାନଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ବିଦ୍ୟୁତ୍ ଲାଇନ ଟଣା କାମ ବିଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା । ଦୀର୍ଘ ମାସ ପରେ କାମ ସମ୍ପୂର୍ଣ୍ଣ ହେବା ସହ ଗତ ମାସରେ ଟ୍ରାନ୍ସଫର୍ମର ମଧ୍ୟ ଫିଟିଂ କରାଯାଇଛି । ହେଲେ ଦୁଃଖର କଥା ଯେ, ଏପର୍ଯ୍ୟନ୍ତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍ ସଂଯୋଗ ଦିଆ ଯାଇନାହିଁ । ଚାଷୀମାନେ ଦେଶର ଆହାରଦାତା । ଅନେକ କଷ୍ଟ ଓ ପରିଶ୍ରମ କରି ସେମାନେ ସାରା ଦେଶକୁ ଖାଦ୍ୟ ଯୋଗାଇ ଆସୁଛନ୍ତି । କିନ୍ତୁ ଏଭଳି ମୌଳିକ ସୁବିଧା ମିଳି ନଥିବାରୁ ଚାଷୀଙ୍କ କଷ୍ଟ ଆହୁରି ବଢ଼ି ଯାଇଛି । ବର୍ତ୍ତମାନ ସମୟରେ ଖରାଟିଆ ଚାଷ ପାଇଁ ଚାଷୀବୃନ୍ଦ ଅଣ୍ଟା ଭିଡ଼ି ପ୍ରସ୍ତୁତ ହୋଇ ସାରିଛନ୍ତି । କିନ୍ତୁ ଜଳସେଚନ ପାଇଁ ବିଦ୍ୟୁତ୍ ନ ମିଳିବାରୁ ବିନା ଜଳରେ ଚାଷ କେମିତି ହେବ ? ବୋଲି ସେମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାର କିମ୍ବା ସଂପୃକ୍ତ ବିଭାଗଙ୍କ ପାଖରେ ଠିକ ସମୟରେ କାମ ସମ୍ପୂର୍ଣ୍ଣ କରିବାର ସମର୍ଥ୍ୟ ନାହିଁ, ତେବେ ଏଭଳି ଲୋକ ଦେଖାଣିଆ କାର୍ଯ୍ୟ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଟ୍ରାନ୍ସଫର୍ମର ଲଗାଇ ରଖି ବିଦ୍ୟୁତ୍ ସଂଯୋଗ ନ ଦେବା ବିଭାଗୀୟ ଅଧିକାରୀଙ୍କ ଅପାରଗତା ନା ବିଦ୍ୟୁତ୍ ବିଭାଗର ଅବହେଳା ତାହା ସ୍ପଷ୍ଟ ହେଉ ନାହିଁ । ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ, କାଗଜରେ କାମ ସମ୍ପୂର୍ଣ୍ଣ ଦେଖାଇ ଠିକାଦାରମାନେ ଲାଭ ନେଉଛନ୍ତି କିନ୍ତୁ ମୂଳ ଲାଭାନ୍ୱିତ ହେବାକୁ ଥିବା ଚାଷୀ ଆଜି ବଞ୍ଚିତ । ଏହା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି । ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ବରଗଡ଼ ଜିଲ୍ଲାପାଳ ମହାଶୟ ତୁରନ୍ତ ହସ୍ତକ୍ଷେପ କରି ଟ୍ରାନ୍ସଫର୍ମରକୁ ବିଦ୍ୟୁତ ସଂଯୋଗ ଦେଇ ଚାଷୀମାନଙ୍କ ଅସୁବିଧା ଦୂର କରିବାକୁ ଜନସାଧାରଣ ଓ ଚାଷୀ ମହଲରୁ ପ୍ରବଳ ଦାବି ହେଉଛି ।