ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଏଥିରେ ଟିଟିଲାଗଡରୁ ପ୍ରଶାନ୍ତ ଷଡ଼ଙ୍ଗୀଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଶ୍ରୀ ଷଡ଼ଙ୍ଗୀ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସଂଯୋଜକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିବିଧ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ଏହା ବାଦ ଟିଟିଲାଗଡରେ ରକ୍ତ ଦାତା ସଂଗଠନ ଉତ୍ସର୍ଗ ଏବଂ ଟିଟିଲାଗଡ ପ୍ରେସ କ୍ଲବର ମଧ୍ୟ ପ୍ରତିଷ୍ଠାତା ଅଟନ୍ତି ଏବଂ ତାଙ୍କ ମାର୍ଗଦର୍ଶନରେ ଟିଟିଲାଗଡ ବିକାଶ ସେନା, ଛାତ୍ର କ୍ରିୟାନୁଷ୍ଠାନ କମିଟି ସକ୍ରିୟ ଭାବରେ ସମାଜସେବା ଜାରି ରଖିଛନ୍ତି । ଏହା ପୂର୍ବରୁ ବିଜେପି ଟିଟିଲାଗଡ ନଗର ସଭାପତି ଭାବେ ୨୦୧୯ ରୁ ୨୦୨୫ ଯାଏଁ ଦାୟିତ୍ଵରେ ରହିଥିଲେ । ତେବେ ଏହି ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀ ଷଡ଼ଙ୍ଗୀ ଓଡ଼ିଶା ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଦଳର ବିଚାର ଧାରାକୁ ତୃଣ ମୂଳ ସ୍ତରରେ ପହଞ୍ଚାଇବା ପାଇଁ କାମ କରିବେ ବୋଲି କହିଛନ୍ତି ।