ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦିନକୁ ଦିନ ଜଙ୍ଗଲର ପକ୍ଷୁପକ୍ଷୀଙ୍କ ସୁରକ୍ଷା ପାଇଁ ସରକାର ନୂଆ ନୂଆ ଯୋଜନା ପ୍ରଣୟନ କରୁଥିବା ବେଳେ ସେହି ଅନୁପାତରେ ବେପାରୀମାନେ ନୂଆନୂଆ ନୀତି ଅବଲମ୍ବନ କରୁଥିବା ଭଳି ଏକ ଚିତ୍ର ବୈପାରିଗୁଡା ଅଞ୍ଚଳରୁ ପଦାକୁ ଆସିଛି । କୌଣସି ଏକ ମାମଲାର ତଦନ୍ତ ପାଇଁ ପୋଲିସ ଯାଇଥିବା ସମୟରେ ଶୁଆମାନଙ୍କୁ ଉଦ୍ଧାର କରିଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ପୋଲିସ ଖାଡୁପଦର ଗ୍ରାମ ପାଖରୁ ୯ଟି ଛୋଟଛୋଟ ଶୁଆ ଉଦ୍ଧାର କରି ଥାନାରେ ରଖିବା ପରେ ବୈପାରିଗୁଡା ବନବିଭାଗକୁ ଖବର ଦେଇଥିଲେ । ରେଞ୍ଜର ସନ୍ଦୀପ କୁମାର ପାଣିଗ୍ରାହୀ, ବନପାଳ ଲଲିତା ହରିଜନ, ବନରକ୍ଷୀ ମନୋରମା ଦେବି ଥାନାକୁ ଯାଇ ପୋଲିସ ପାଖରୁ ଶୁଆ ଉଦ୍ଧାର କରିଥିବାର ଜଣାପଡିଛି । ବୈପାରିଗୁଡା ରେଞ୍ଜର ସନ୍ଦୀପ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା କହିପାରୁ ନଥିବା ଏହି ନିରୀହ ପକ୍ଷୀଙ୍କୁ ଆଣି ତାଙ୍କ ସ୍ୱାଧିନତାକୁ ଲୋକେ ବଳି ପକାଉଛନ୍ତି । ପ୍ରତିବାଦ ଜଣାଇବା ପାଇଁ ଏମାନେ ସକ୍ଷମ ନୁହନ୍ତି । କେବଳ ନିଜର ସ୍ଥିତିକୁ କିଛି ଶବ୍ଦରେ ବୟାନ କରନ୍ତି ଏମାନେ ।