ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର : ଖପ୍ରାଖୋଲ ପୋଲିସର ମାନବିକତାକୁ ଅଞ୍ଚଳରେ ପ୍ରଶଂସା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ପୋଲିସର ଛବି ଦିନକୁ ଦିନ ମଳିନ ହେବାରେ ଲାଗିଛି । ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ଉଠୁଛି । ଠିକ୍ ଏହି ସମୟରେ ଖପ୍ରାଖୋଲ ପୋଲିସ ମାନବିକତା ଦେଖାଇଛି । ପ୍ରମାଣ କରିଛି, ଯାହାର କେହି ନାହାନ୍ତି ତା’ର ପୋଲିସ ଅଛି । ଜଣେ ଅସହାୟ ବୃଦ୍ଧଙ୍କ ଶବ ସତ୍କାର କରିଛି ଖପ୍ରାଖୋଲ ପୋଲିସ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗ୍ରାମର ନିରାକାର ବରିହାଙ୍କ ଗଳିତ ମୃତଦେହ ଗାଁରେ ଥିବା ପୋଖରୀ ନିକଟସ୍ଥ ବୁଦା ଭିତରୁ ଠାବ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ବେନକେରା ଗ୍ରାମର ନିରାକାର ବରିହା (୬୫) ଗତ ୨୧ ତାରିଖ ସକାଳ ୮ଟାରୁ ଘରୁ ନିଖୋଜ ଥିଲେ ଏନେଇ ପରିବାର ଲୋକ ଖପ୍ରାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକ ଏବଂ ପୋଲିସ ବହୁ ଖୋଜିଲା ପରେ ମଧ୍ୟ ନିଖୋଜ ବ୍ୟକ୍ତିକୁ ପାଇନଥିଲେ । ଆଜି ସକାଳୁ ସ୍ଥାନୀୟ କିଛି ଲୋକ ପୋଖରୀ ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ନିକଟରେ ଥିବା ବୁଦା ଭିତରୁ ଅତ୍ୟନ୍ତ ଦୁର୍ଗନ୍ଧ ହେଉଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଦେଖିଥିଲେ । ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳକୁ ଆସି ମୃତକଙ୍କ ପରିଚୟ ନିରାକାର ବରିହା ବୋଲି ଚି଼ହ୍ନଟ କରିଥିଲେ । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ସତ୍କାର ପାଇଁ ମୃତକଙ୍କ ଦୁଇ ପୁଅ ସାମ୍ନାକୁ ଆସିଥିବାବେଳେ ଆଉ କେହି ପାଖକୁ ଆସିନଥିଲେ । ଏସବୁକୁ ଦେଖିଲା ପରେ ଏକ ପ୍ରଶ୍ନ ଆସେ ଯେ, ଆମ ସମାଜର ଗତି କୁଆଡେ ? ଖପ୍ରାଖୋଲ ଥାନା ଏସ୍‌ଆଇ ଲକ୍ଷ୍ମୀଧର ସ୍ୱାଇଁ, ଏଏସ୍‌ଆଇ ସେୱାନ କେରକେଟା, ନବୀନ ଭୋଇ, କନେଷ୍ଟବଳ ମନୋହର ବାତ୍ରା, ନରେଶ ବିଶ୍ୱାଳ, ଧ୍ରୁବ କୁମ୍ଭାର ପ୍ରମୁଖ ସସମ୍ମାନେ ମୃତକ ନିରାକାର ବରିହାଙ୍କ ଶବକୁ କାନ୍ଧେଇ ଶ୍ମଶାନକୁ ନେଇକି ଯାଇଥିଲେ ଏବଂ ଶବ ସତ୍କାର କରିଥିଲେ । ଖପ୍ରାଖୋଲ ପୋଲିସର ଏହି ମହତ କାର୍ଯ୍ୟ ପାଇଁ ଅଞ୍ଚଳର ଜନସାଧାରଣଙ୍କ ଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.