ଜଙ୍ଗଲ ବୁଦାମୂଳରୁ ମିଳିଲା ୪୧୪ କିଲୋ ଗଞ୍ଜେଇ : ବାହାର ରାଜ୍ୟକୁ ଚୋରାଚାଲାଣ ପାଇଁ ଗଚ୍ଛିତ ଥିବା ବେଳେ ବୈପାରିଗୁଡା ପୋଲିସର ଚଢାଉ

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କିଛି ମାସର ବ୍ୟବଧାନ ପରେ ପୋଲିସ ହାତରେ ଲାଗିଛି ବଡବଡ ଗଞ୍ଜେଇ ବସ୍ତା । ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଗଚ୍ଛିତ ରଖାଯାଇଥିବା ୪୧୪ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ବୈପାରିଗୁଡା ପୋଲିସ । ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନଙ୍କୁ କୌଣସି ସୂତରୁ ଏକ ଖବର ମିଳିବା ପରେ ଥାନା ଏସ୍‌ଆଇ କୃଷ୍ଣଚନ୍ଦ୍ର ସେଠୀ ଓ ଏଏସ୍‌ଆଇ ମତି ସିଂ ନାୟକ ଓ ପୋଲିସ କର୍ମଚାରୀ ମାନେ ଏକ ଟିମ୍ ଗଠନ କରି ଥାନା ଅନ୍ତର୍ଗତ କୋଲାର ଓ କାଠପଡା ପଂଚାୟତର ମଝି ଅଂଚଳ ତଥା ଟାଙ୍ଗିନିଗୁଡା କାଠପଡା ମଝିରେ ପଡୁଥିବା ବେଦାଅଟାଳ ଗାଁ ପାଖ ଜଙ୍ଗଲ ଭିତରେ ପୋଲିସ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ନିକଟ ଏକ ବୁଦାଳିଆ ସ୍ଥାନରୁ ୪୧୪ କିଲୋ ଗଞ୍ଜଇ ଜବତ କରିଛି । ଘଟଣାସ୍ଥଳରୁ କାହାକୁ ଗିରଫ କରାଯାଇ ନାହିଁ । ବିଭାଗୀୟ ସୂଚନା ଅନୁସାରେ କିଛି ମାସ ତଳେ ଏପରି ବୈପାରିଗୁଡା ଥାନା ଅନ୍ତର୍ଗତ ଜଙ୍ଗଲ ଭିତରେ ଚୋରାଚାଲାଣ ପାଇଁ ଗଞ୍ଜେଇ ଲୁଚାଇ ରଖିଥିବା ଖବର ପାଇ ସେଗୁଡିକକୁ ପୋଲିସ ଜବତ କରିଥିଲା । ପୁଣିଥରେ ବେଦାଅଟାଳ ଗାଁ ପାଖ ଜଙ୍ଗଲ ନିକଟରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ବୁଦା ମୂଳରେ କିଛି ଜିନିଷ ଗଚ୍ଛିତ ଥିବା ନଜରକୁ ଆସିଥିଲା । ଯାଞ୍ଚ କରାଯିବା ପରେ ଗଞ୍ଜେଇ ଗଚ୍ଛିତ ଥିବା ଜଣାଯାଇଥିଲା । ଉକ୍ତ ସ୍ଥାନରେ କେହି ନଥିବାରୁ କାହାକୁ ଗିରଫ କରାଯାଇ ପାରିନାହିଁ । ଗଞ୍ଜେଇକୁ ଓଜନ କରିବାରୁ ୪୧୪ କିଲୋ ହୋଇଥିଲା । ପୋଲିସ ପକ୍ଷରୁ ଏହି ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.