ଟାୱାର ପାଚେରୀ ପାର୍ଶ୍ୱରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଏକ ଟାୱାର ପାଚେରୀ ପାର୍ଶ୍ଵରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଗତ ଯେ, ନାବାଳିକା ଜଣଙ୍କ ଗତ ମଙ୍ଗଳବାର ଦିନ ପ୍ରାୟ ୧ଟା ବେଳେ ଶୌଚ ହେବାକୁ ଘରୁ ଯାଇଥିଲେ । ବହୁ ସମୟ ଧରି ଘରକୁ ଫେରି ନଥିଲେ । ଏହାପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କ କିଛି ଖୋଜ ଖବର ମିଳି ନଥିଲା । ପରେ ରାତି ପ୍ରାୟ ୮ଟା ବେଳେ ଗ୍ରାମର ଟାୱାର ପାଚେରୀ ପାର୍ଶ୍ୱରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ନାବାଳିକାଙ୍କ ଦୁଇ ହାତ ବନ୍ଧା ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହାପରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଏବଂ ଡଗ୍ ସ୍କ୍ଵାଡ୍ ସହାୟତାରେ ତଦନ୍ତ କରୁଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି । ମୃତକଙ୍କ ପରିବାର ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ।

Leave A Reply

Your email address will not be published.

error: Content is protected !!