୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

  • ଏଭଳି କାର୍ଯ୍ୟକ୍ରମ ଆମ ସହର ପାଇଁ ଗର୍ବର ବିଷୟ : ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ତରଫରୁ ମା’ ବାଟ ମଙ୍ଗଳା ଶକ୍ତିପୀଠ ପ୍ରେକ୍ଷ୍ୟାଳୟରେ ‘୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଆବାହକତ୍ୱ, ଉପଦେଷ୍ଟା ସଞ୍ଜୀବ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଓ ସମ୍ମାନିତ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଓରାମ ଏଭଳି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆମ ସହର ପାଇଁ ଗର୍ବର ବିଷୟ ବୋଲି ମତ ରଖିଥିଲା ବେଳେ ସମ୍ମାନିତ ଅତିଥି ଶ୍ରୀ ତନ୍ତୀ ଏହା ଦ୍ୱାରା ଆମ ସହରର ଶିଳ୍ପୀ ମାନେ ଉତ୍ସାହିତ ତଥା ନିଜ ପ୍ରତିଭା ବିକଶିତ କରିପାରିବେ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜାତୀୟ ସ୍ତରର ୩୦ରୁ ଅଧିକ ସୁନାମଧନ୍ୟ ଅଭିଜ୍ଞ ଓ ନବୀନ କଳାକାରମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଜନପ୍ରିୟ ହିନ୍ଦୁସ୍ତାନୀ କଳାକାର ପୁରୀରୁ ଗୁରୁଶ୍ରୀ ଯାମିନୀକାନ୍ତ ମିଶ୍ର, ଗୁରୁ ଶ୍ରୀମତୀ ପ୍ରଜ୍ଞା ମିଶ୍ର, ବନାରସରୁ ଗୁରୁ ପ୍ରୀୟାଂସୁ ଘୋଷ, କଲିକତାରୁ ସୁଶ୍ରୀ ଜେସିକା ଘଟକ, ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର, ଭୁବନେଶ୍ଵରର ଓଡ଼ିଶୀ ସଙ୍ଗୀତ ମେଧାବୀ ଗବେଷକା ନିଳୀମା ପ୍ରଧାନ, ସ୍ମୃତିରେଖା ପ୍ରଧାନ ଓ ସୁନୀତା ବିଶ୍ୱାଳ ପ୍ରମୁଖ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ । ଭୁବନେଶ୍ଵରର ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ କାଳନ୍ଦୀ ଚରଣ ପରିଡ଼ାଙ୍କ ତତ୍ତ୍ଵାବଧାନରେ ଜଳନ୍ଧର ନାୟକ, ପି. ଗୁଲସନ୍ କୁମାର ଓ ଜୟଗୁରୁ ପ୍ରଧାନ ମର୍ଦ୍ଦଳ ବାଦନ କରିଥିଲେ । ଭୁବନେଶ୍ଵରର ପ୍ରତିଷ୍ଠିତ ତବଲା ବାଦକ ଡ. ତାପସ ପାଲ୍ ଓ କଲିକତାର ଗୁରୁ ଅବୀର ମୁଖାର୍ଜୀ ଓ ସୁଦୀପ ଚାଟାର୍ଜୀ ତବଲାରେ, କଲିକତାର ସରୋଦ ସିଷ୍ଟରସ ଟ୍ରୋଇଲି ଓ ମୋଇସିଲି ଦତ୍ତ ତଥା ଗୟା ଜିଲ୍ଲା ବିହାରର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପଖାଉଜ୍ ବାଦକ ଭ୍ରାତା ଗୌରବ ଓ ସୌରଭ ଶଙ୍କର ଉପାଧ୍ୟାୟ, ସୋଲାପୂରର ଗୁରୁ କପିଲ ବିଷ୍ଣୁ ଯାଦବ ଓ ଗୁରୁ ଅମୋଲ ଯାଦବ ସୁନ୍ଦରୀ ଯନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ । ବିଶାଖାପାଟଣାର କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଶୈଳୀରେ ଗୁରୁ ଏଚ୍‌. ରାମ ଚରଣ, ମୃଦଙ୍ଗମ ବାଦକ ଗୁରୁ ଏମ୍‌. କାମେଶ ଓ ଘଟମ୍ ବାଦକ ଗୁରୁ ଟି. ଏମ୍‌. ଚୈତନମ ତ୍ରୟ ଯନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଏତଦ୍ ଭିନ୍ନ ରାଉରକେଲାର ଗୁରୁ ବୀଣା ରଥ, ଡ. ସୁଶାନ୍ତ କୁମାର ପାଣି, ଗୁରୁ ପ୍ରଭାତୀ ମହାପାତ୍ର, ଗୁରୁ ରଜତ ପଣ୍ଡା ଓ ସୁପ୍ରିତ୍ ପ୍ରିୟଦର୍ଶୀ ପଣ୍ଡା ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ । ଏହାସହ ରାଉରକେଲାର ଅନ୍ୟାନ୍ୟ କଳାକାର ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରି ଶାସ୍ତ୍ରୀୟ ସଂଗୀତରେ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଓଡ଼ିଶାର ସୁନାମଧନ୍ୟ ଦୂରଦର୍ଶନ ଉପସ୍ଥାପକ ଡ. ଶ୍ରୀନିବାସ ଘଟୁଆରି ଓ ଡା. ସୁଶାନ୍ତ ପାଣି ଏହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ । ଶେଷରେ ଆୟୋଜକ ତଥା ସମ୍ପାଦକ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ତଥା ମା’ ବାଟମଙ୍ଗଳା ପୀଠର କର୍ମକର୍ତ୍ତା ମାନେ ସହଯୋଗ ଦେଇଥିଲେ ।

Leave A Reply

Your email address will not be published.