ଅନ୍ଵେଷାର ୧୦୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ଶହେ ୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି । ପ୍ରତି ମାସ ଭଳି ଏହି ମାସର ମାଗଣା ହାଟ ଜଳଦା ସି ବ୍ଲକ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା । ଏଥିରେ ୪୦ ଜଣ ଗର୍ଭବତୀ ମହିଳାଙ୍କୁ ନୂତନ ଛତା ବଣ୍ଟନ ହୋଇଥିଲା । ଏହି ସେବା କାର୍ଯ୍ୟରେ ବସ୍ତିବାସୀଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ଘରୋଇ ଉପକରଣ ଏବଂ ବସ୍ତ୍ର ବଣ୍ଟନ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ସମସ୍ତ ବସ୍ତିବାସୀଙ୍କୁ କିଭଳି ବର୍ଷା ଦିନେ ନିଜର ଏବଂ ନିଜ ପରିବାରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିବେ ତା ଉପରେ ଆଲୋଚନା ହୋଇଥିଲା । ଏହି ପରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଲାଠିକଟା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟକୁ ଯାଇ ସେଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ସେଠାରେ ଥିବା ଛାତ୍ରଛାତ୍ରୀ ମାନେ ଭଜନ ଗାଇଥିଲେ ଏବଂ ବାଦ୍ୟ ଯନ୍ତ୍ର ବଜାଇ ଥିଲେ । ଅନୁଷ୍ଠାନର ସଦସ୍ୟା ମାନସୀ ଦେ କୃଷ୍ଣ ବନ୍ଦନା କରିଥିଲେ ଏବଂ କବି ଉପେନ୍ଦ୍ର ବସ୍ତିଆ ପିଲା ମାନଙ୍କ ପାଇଁ କବିତା ପାଠ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଦିବାକର ଦାସ ପିଲାମାନେ କିଭଳି ଭବିଷ୍ୟତରେ ନିଜ ଗୋଡ଼ରେ ଛିଡା ହୋଇ ପାରିବେ ତାହା ବୁଝାଇ ଥିଲେ । ଉପସଭାପତି ରଶ୍ମିତା ପଣ୍ଡା ଗଳ୍ପ ମାଧ୍ୟମରେ ପିଲାମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଉପଦେଶ ଦେଇଥିଲେ । ପିଲାମାନେ ଶେଷରେ ଅନୁଷ୍ଠାନର କଲ୍‌ଚରାଲ୍‌ ସେକ୍ରେଟାରୀ ରୋବେର୍ଟ ହାଇଫିଲ ପ୍ରସ୍ତୁତ କରିଥିବା କେକ୍‌ କାଟିଥିଲେ ଏବଂ ମଧ୍ୟାହ୍ନ ଭୋଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ତରୁଲତା ସାମଲ, ରଞ୍ଜନ ସାହୁ, ସତ୍ୟମ ମୋଦକ, ରାମଚନ୍ଦ୍ର ଜେନା, ଅଜୟ ନାୟକ, ମାନସୀ ଘୋଷ ଏବଂ ଦେବୀକା ଘୋଷ ଉପସ୍ଥିତ ରହି ସାହାଯ୍ୟ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାତ୍ର, ବାସନ୍ତୀ ମହାନ୍ତି, ମଞ୍ଜୁବାଳା ପାଢ଼ୀ, ରାକେଶ ସିଂ ଏବଂ ସି. ଚୈତନ୍ୟ ସେବା କାର୍ଯ୍ୟକୁ ପରୋକ୍ଷ ଭାବେ ସାହାଯ୍ୟ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ଟ୍ରଷ୍ଟି ତଥା ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.