ଖପ୍ରାଖୋଲ ଥାନା ଠାରେ ଧୁମ୍‌ଧାମ୍‌ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ସାରା ଭାରତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏନେଇ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଠାରେ ବଡ଼ ଆଡମ୍ବର ଏବଂ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳିତ ହେଉଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ଇଂରେଜ ମାନଙ୍କ କବଳରୁ ସ୍ୱାଧୀନତା ପାଇଥିଲା । ତେବେ ସେହି ଅନୁଯାୟୀ, ଆମେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛୁ । ଥାନା ପରିସରରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ପୋଲିସ ଷ୍ଟାଫ ସହ ଡିଭିଏଫ୍‌ର ଯବାନ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖପ୍ରାଖୋଲ ପ୍ରାଥମିକ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏବଂ ଖପ୍ରାଖୋଲ ସ୍ଥିତ ପ୍ଲେ ସ୍କୁଲର ସମସ୍ତ କୁନି କୁନି ଛୁଆ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ପୋଲିସ ତରଫରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଖାତା ଆଉ କଲମ ବଣ୍ଟନ କରାଯାଇଥିଲା । ସେହିପରି ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟରେ ରେଞ୍ଜର ଅରବିନ୍ଦ ନାଏକ, ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଖପ୍ରାଖୋଲ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଡାକବାଜି ଯନ୍ତ୍ର ସହ ଗ୍ରାମ ପରିକ୍ରମା କରିଥିଲେ । ଚତୁର୍ଥ ଶ୍ରେଣୀ ଛାତ୍ରୀ ପରିଣୀତା ସୁନା ଭାରତ ମାତା ବେଶରେ ଥିବାବେଳେ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଦେଶର ମହାପୁରୁଷ ମାନଙ୍କ ବେଶଭୁଷାରେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ । ଖପ୍ରାଖୋଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଏବଂ କାର୍ଯ୍ୟାଳୟ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.