ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଇ ଅଚିନ୍ତାରେ ବୁଲୁଥିଲା ନୃଶଂସ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତଲାମହୁଲ ଗ୍ରାମରେ ଏଭଳି ଏକ ଛାତିଥରା ଘଟଣା ଘଟିଯାଇଛି । ଦୋଷାଦୋଷ କ୍ଷମା କରିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀ ସ୍ତ୍ରୀ ସହିତ ଏମିତି କରିବ ବୋଲି କେହି ଭାବିନଥିଲେ । ସୂଚନା ଅନୁଯାୟୀ ପୁତଲାମହୁଲ ଗ୍ରାମର ତେଜରାଜ ସାହୁ କିନ୍ଦରିଟାଲ ଗ୍ରାମର ଭଏଁରୀ ଓରଫ୍ ଚୁଲାବତୀ ଭୁଏଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ୪ ବର୍ଷର ଝିଅ ମଧ୍ୟ ଅଛି । ଗତ ୧୬ ତାରିଖ ଶୁକ୍ରବାର ଦିନ ତେଜରାଜ ସନ୍ଧ୍ୟାରେ ଘରକୁ ଫେରି ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । କ’ଣ ପାଇଁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି, ଏବେ ବି କାରଣ ଅସ୍ପଷ୍ଟ । କାଳେ ଲୋକ ଜାଣିଯିବେ ଭାବି ଶବକୁ ଅଖାରେ ବାନ୍ଧି ସାଇକେଲରେ ଲଦି ରାତିରେ ନିଜ ବଡ ଭାଇ ଟିକେଲାଲ ସାହୁ, ମଉସା ଗୁଣନିଧି ସାହୁ ଏବଂ ଗ୍ରାମର କିଛି ଲୋକଙ୍କ ସହିତ ମିଶି ଗ୍ରାମରୁ ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ସାଙ୍ଗରେ ନେଇଥିବା ଟାୟାର ଏବଂ ପେଟ୍ରୋଲ ସହାୟତାରେ ଶବକୁ ପୋଡି ଦେଇଥିଲା ନୃଶଂସ ସ୍ୱାମୀ ତେଜରାଜ । ତେବେ ଘଟଣାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ କେହି ଘଟଣା ବିଷୟରେ ମୁହଁ ଖୋଲିବାକୁ ରାଜି ନଥିଲେ । ମୃତକର ପରିବାର ଲୋକେ ଖପ୍ରାଖୋଲ ପୋଲିସରେ ଶନିବାର ଦିନ ଚୁଲାବତୀ ଭୁଏ ନିଖୋଜ ଥିବା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖପ୍ରାଖୋଲ ପୋଲିସ ତତ୍ପରତା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ସନ୍ଧ୍ୟା ସମୟରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
Next Post