ଭୁବନେଶ୍ୱର : ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି । ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ ନନ୍ଦୀଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସଙ୍କୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା ମୂର୍ତ୍ତିଟି ୭ ଫୁଟ୍ ଲମ୍ବା ଏବଂ ୨୦ ଫୁଟ୍ ଓସାର ବିଶିଷ୍ଟ । ଏହି ବାଲୁକା ମୂର୍ତ୍ତିଟି ନିର୍ମାଣ କରିବା ପାଇଁ ୨୦ ଟନ୍ ବାଲି ଉପଯୋଗ ହୋଇଛି । ଏଥିସହ ଏହି ବାଲୁକା ମାଧ୍ୟମରେ ‘ଶୁଭ ମହାଶିବରାତ୍ରୀ’ ଏବଂ ‘ବିଶ୍ୱ ଶାନ୍ତି’ର ବାର୍ତ୍ତା ଦେଇଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଏବଂ ଯୋଗ ଗୁରୁ ବାବା ରାମଦେବ ଏହି ବାଲୁକା ମୂର୍ତ୍ତିକୁ ଉଦ୍ଘାଟନ କରିଥିଲେ । ପ୍ରଭୁ ମହାଦେବଙ୍କ ବାଲୁକା କଳା ପାଖରେ ଆଳତି କରିବା ସହ ରୁଦ୍ରାଭିଷେକ ମଧ୍ୟ କରିଥିଲେ । ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି ଦେଖି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁଙ୍କୁ ପ୍ରଶଂସା କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଏବଂ ଯୋଗ ଗୁରୁ ବାବା ରାମଦେବ ।