ସେଲ୍‌ ଓ ଏଏଆଇ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ରାଉରକେଲା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଓ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଫଳରେ ରାଉରକେଲାରେ ବିମାନ ସେବା ଆରମ୍ଭର ପଥ ପରିଷ୍କାର ହୋଇଛି । ସେଲ୍‌ର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି. କେ. ଶତପଥୀ ଓ ଏଏଆଇ ପକ୍ଷରୁ ଜେଭିସି/ପିପିପି ଇଡି-୨ର ଏନ୍‌. ସୁଦ୍ଧାରାୟୁଡୁ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ରାଉରକେଲାରେ ଆଗାମୀ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଲ ଓ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ମାର୍ଗଦର୍ଶନରେ ବିମାନବନ୍ଦର ସ୍ୱତ୍ତ୍ୱାଧିକାର ଗ୍ରହଣ ପୂର୍ବକ ବିମାନବନ୍ଦର ବୃହତ ଖର୍ଚ୍ଚ ବହନ କରିବା ନିମନ୍ତେ ପଦକ୍ଷେପ ନେଇଛି । ସେଲ୍‌ ଆରଏସ୍‌ପି ପକ୍ଷରୁ ଏଏଆଇ ବିମାନବନ୍ଦର ପରିଚାଳନା ଓ ପ୍ରବନ୍ଧନ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ରାଜ୍ୟ ସରକାର ସୁରକ୍ଷା, ଅଗ୍ନିଶମ ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିବେ । ସେଲ୍‌ ୨୦୧୮ରେ ଉଡାନ ଯୋଜନା ଅଧୀନରେ ଏହାର ନିଜସ୍ୱ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସେବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

Leave A Reply

Your email address will not be published.