
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜୁଭାଇ ଢୋଲକିଆଙ୍କ ଜନ୍ମ ଜୟନ୍ତୀ ଅବସରରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଟିଟିଲାଗଡ଼ ସ୍ଥିତ ଏସ୍ସିଡି ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ହରିଭବନ ଠାରେ ଏକ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ପ୍ରେସ କ୍ଲବର ପରାମର୍ଶଦାତା ଆଶିଷ ଖଇତାନଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ପ୍ରେସ କ୍ଲବ ସଭାପତି ସୁରଦାସ ବାଗ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନଗରପାଳ ବରୀୟାମ ସିଂହ ସାଲୁଜା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଗୁଜରାଟୀ ସମାଜ ସଭାପତି ପ୍ରକାଶ କୁମାର ସୋମେୟା, ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ପ୍ରେସ କ୍ଲବ ସମ୍ପାଦକ ସୁଶାନ୍ତ ବେହେରା, ୟୁବା ମଞ୍ଚ ବିକାଶ ଶାଖା ସଭାପତି ମହେଶ ଅଗ୍ରୱାଲ ଏବଂ ଏସସିଡିର ଟି.ଡି. ରାଜୱାଡେ ପ୍ରମୁଖ ମଞ୍ଚାସୀନ ଥିଲେ । କୋଷାଧ୍ୟକ୍ଷ ହନି ସିଂହ ମଞ୍ଚ ପରିଚାଳନା କରିଥିଲେ । ଏହି ଶିବିରରେ ୨୦୦ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୭୨ ଜଣଙ୍କଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଛି । ଚିହ୍ନଟ ରୋଗୀଙ୍କ ମାଗଣାରେ ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଆବଶ୍ୟକତା ଅନୁସାରେ ରୋଗୀଙ୍କୁ ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା । କମ୍ପ୍ୟୁଟରରାଇଜ ଚକ୍ଷୁ ପରୀକ୍ଷା ମଧ୍ୟ କରଯାଇଥିଲା । ଶିବିରର ସଫଳ ଆୟୋଜନରେ ସହସମ୍ପାଦକ ବିଶିକେଶନ ମାଝି, ସଦସ୍ୟ ଆନନ୍ଦ ମୋଟେ, କମଲ ଅଗ୍ରୱାଲ ଶୈଳେନ୍ଦ୍ର ଜୈନଙ୍କ ସମେତ ଇଶାନ୍ତ ସୋମେୟା, ହାର୍ଦ୍ଦିକ ସୋମେୟା, ଏସସିଡି ଚକ୍ଷୁ ହସ୍ପିଟାଲର ଅଭିନାଶ ତ୍ରିପାଠୀ, ସଙ୍ଗୀତାରାଣୀ ବାରିକ, ବେବି ଦୀପ, ଦେବେନ୍ଦ୍ର ଚିନାଗୁନ, ସୁଶୀଲ ନାଗ ଓ ରୁପିନ୍ଦ୍ର ନାଗ ପ୍ରମୁଖ ସହଯୋଗ କରିଥିଲେ ।