jayashree

ଦୀପାବଳୀ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର : ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ବଡ଼ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ଚାହିଁ ବସିଛନ୍ତି ଜନସାଧାରଣ । ଏଥର ବାଣ ଫୁଟାଇବାକୁ ଅନୁମତି ଥିବାରୁ ଆତସବାଜିରେ ପ୍ରକମ୍ପିତ ହେବ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର । ତେବେ ଦୀପାବଳୀକୁ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପ୍ରସ୍ତୁତ ରହିଥିବା ବେଳେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଗୁରୁବାର ୧୯ଟି ଗାଇଡ୍‌ଲାଇନ୍‌ ଜାରି କରିଛି । ବାଣ ବିକ୍ରି କରୁଥିବା ଦୋକାନୀ ଓ ଲୋକମାନେ ନିୟମ ମାନିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ଦୀପାବଳୀର ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି । ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ ଏବଂ କୋର୍ଟ ଆଦି ନିଷିଦ୍ଧାଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମ୍‌ରେ ତିନି ମିଟର ଦୂରତା ପାଳନ କରିବେ । ଦୋକାନଗୁଡ଼ିକ ପରସ୍ପରର ସମ୍ମୁଖୀନ ନ ହେବା ସହ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ବର୍ଗ ମଧ୍ୟରେ ସୀମିତ ରହିବ । ଦୋକାନଠାରୁ ୫୦ ମିଟର ମଧ୍ୟରେ ବାଣ ଫୁଟାଯାଇ ପାରିବ ନାହିଁ । ତେଲରେ ଜଳୁଥିବା ଦୀପ, ଗ୍ୟାସ୍‌ ଲ୍ୟାମ୍ପ, ମହମବତୀ କିମ୍ବା ଖୋଲା ଆଲୋକ ବ୍ୟବହାର କରାଯିବ ନାହିଁ । ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନକୁ ଅନୁମତି ଦିଆଯିବ ନାହିଁ । ଦୋକାନଗୁଡ଼ିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଆଦି ବ୍ୟବସ୍ଥା ରଖାଯିବ । ଦୋକାନୀମାନେ କମ୍‌ ପ୍ରଦୂଷିତ ହେଉଥିବା ସବୁଜ ବାଣଗୁଡିକ ବିକ୍ରି କରିପାରିବେ । ଲୋକମାନେ ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବେ । ବାଣଗୁଡ଼ିକ ୧୨୫ ଡେସିବିଲ୍‌ ଶବ୍ଦ ମଧ୍ୟରେ ରହିବ । ଦୋକାନୀମାନେ ବିଦେଶୀ ବାଣ ବିକ୍ରି କରିପାରିବେ ନାହିଁ । ଅନ୍‌ଲାଇନ୍‌ ବାଣ ବିକ୍ରିକୁ ବାରଣ କରାଯାଇଛି । ଏସବୁ ନିୟମକୁ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.