oom

କବିତା : ସ୍ୱପ୍ନର ଅରଣ୍ୟ ଭିତରେ

jsmm

ଭାଗୀରଥି ମିଶ୍ର
ସ୍ୱପ୍ନର ଅରଣ୍ୟ ଭିତରେ
ନିଖୋଜ ଜୀବନ ଆମର!

ନିବୁଜ୍‌ କୋରଡ଼ର ଦ୍ୱାର ଖୋଲି
ପଶିଆସେ ଆଲୁଅର ଝଲକ,
ଅଂଧାର ଭିତରୁ ମୁକୁଳି
ଆଖି ଖୋଲି ପାଟି ମେଲିବା ବେଳକୁ
ଝାପ୍‌ସା ଝାପ୍‌ସା ଦିଶେ
ଆମର ପହିଲି ସ୍ୱପ୍ନ ।

ହଁ, ସେଇ ଶୈଶବର କଥା କହୁଛି
ଯେତେବେଳେ ନକ୍ଷତ୍ରମଂଡ଼ଳରେ
ଅଗଣିତ ତାରକା
ଆମ ପରି ଯେ’ ଯାହାର
ଦିଗଂତ ବିହୀନ ଦୃଷ୍ଟିରେ ସ୍ୱଚ୍ଛ
ଏକା ଏକା ।

କିଏ କଢେ଼ଇ ଆଣିଲା
ଆମର ପାଦକୁ
ସହଯାତ୍ରାରେ!

କିଏ ବଢେ଼ଇ ଦେଲା
ଏକାତ୍ମ ଜୀବନ
ଶୂନ୍ୟ ପାପୁଲିରେ !

ଆକାଶ ଆଡ଼କୁ ଦେଖୁ ଦେଖୁ ସେଦିନ
ଘନେଇ ଆସିଥିଲା ଅଂଧାର
ବତାସ ସାଥୀରେ

ସାରା ବଗିଚା ବିପର୍ଯ୍ୟସ୍ତ
ଅଥଚ ଅଧାଖୋଲା କଢ଼ ଦୁଇଟି
ମୁକୁଳି ଗଲେ ନିର୍ଲିପ୍ତ ଭାବରେ ।

ସେଇ ବଗିଚାର ଆତ୍ମା
ଆମର ଏକୋଇର ସ୍ୱପ୍ନ
କ୍ରମଶଃ ଘଂଚ ହେଇ
ଅରଣ୍ୟ
ଆଉ ନିଖୋଜ ଜୀବନ ଆମର

ପାଦ ହିଁ ପଥର ପ୍ରିୟ ସହଚର!

ବଲାଙ୍ଗିର
ମୋ.ନଂ.୭୦୦୮୦୦୪୦୪୯

jittmm
Leave A Reply

Your email address will not be published.