csstore

ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲା ୬ ଗୋଟି ଜାତୀୟ ପୁରସ୍କାରରେ ସମ୍ମାନିତ

  • ସର୍ବଭାରତୀୟ ସ୍ତରରେ ପ୍ରଥମ ରେଙ୍କ ହାସଲ କରିଥିବା ହେତୁ ୫ କୋଟି ପୁରସ୍କାର ରାଶି ସହିତ ସମ୍ମାନିତ
  • ଶ୍ରେଷ୍ଠ ପଞ୍ଚାୟତ ସମିତି ଭାବେ ହିଞ୍ଜିଳିକାଟୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ୨ କୋଟି ଅର୍ଥ ରାଶିରେ ପୁରସ୍କୃତ
  • ସେହିପରି ଶାସନ ଆମ୍ବଗାଁ, କଞ୍ଚୁଡୁ, ଭଞ୍ଜନଗରର କୁଲାଡ଼ ଏବଂ ପାତ୍ରପୁର ବ୍ଲକ୍ ଆଙ୍କୁଲି ପ୍ରମୁଖ ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କା ହିସାବରେ ଆର୍ଥିକ ରାଶି ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଆୟୋଜିତ ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏକ ଭବ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ଗଞ୍ଜାମ ଜିଲ୍ଲା ପରିଷଦକୁ ପୁରସ୍କୃତ କରିଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରଥମ ରେଙ୍କ ହାସଲ କରିଥିବା ହେତୁ ୫ କୋଟି ପୁରସ୍କାର ରାଶି ସହିତ ସମ୍ମାନିତ କରିଛନ୍ତି । ଏହି ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ରହି ପୁରସ୍କାର ଗୁଡିକ ପ୍ରଦାନ କରିଥିଲେ ।

ପୁରସ୍କାରଟି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ନାନାଦି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ଶ୍ରେଣୀରେ ପୁରସ୍କୃତ କରାଯାଇଛି ।

ଶ୍ରେଷ୍ଠ ପଞ୍ଚାୟତ ଭାବେ ସର୍ବଭାରତୀୟ ସ୍ତରରେ ହିଞ୍ଜିଳିକାଟୁ ପ୍ରଥମ ସ୍ଥାନ ଅଧିକାର କରିଥିବା ହେତୁ ୨ କୋଟି ଅର୍ଥରାଶି ସହ ସମ୍ମାନିତ ହୋଇଛି । ଦ୍ଵିତୀୟ ଶ୍ରେଷ୍ଠ ‘ସୁସ୍ଥ ପଞ୍ଚାୟତ’ ଭାବେ ହିଞ୍ଜିଳିକାଟୁ ବ୍ଲକ କଞ୍ଚୁଡୁ ପଞ୍ଚାୟତକୁ ୭୫ ଲକ୍ଷ, ଶାସନ ଆମ୍ବଗାଁ ଦ୍ଵିତୀୟ ଶ୍ରେଷ୍ଠ ‘ସୁସ୍ଥ ଓ ସବୁଜ ପଞ୍ଚାୟତ’ ଗ୍ରାମ ଭାବେ ୭୫ ଲକ୍ଷ, ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଦ୍ଵିତୀୟ ଶ୍ରେଷ୍ଠ ‘ସାମାଜିକ ଭାବେ ସୁରକ୍ଷିତ’ ସକାଶେ ୭୫ ଲକ୍ଷ ଏବଂ ପାତ୍ରପୁର ବ୍ଲକ ଆଙ୍କଲି ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସମ୍ମାନିତ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲା ଏଭଳି ସମ୍ମାନଜନକ ପୁରସ୍କାର ପାଇଥିବା ହେତୁ ଓଡ଼ିଶାର ସୁନାମ ଆଣି ଦେଇ ପାରିଛି । ଯାହାକି ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି ।

ହିଞ୍ଜିଳିକାଟୁ ବ୍ଲକ ପୁରସ୍କାର ସରପଞ୍ଚ ସରସ୍ୱତୀ ସେଠୀ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ ଭି.କୀର୍ତ୍ତି ଭାସନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ଜେନା ଗ୍ରହଣ କରିଥିବା ବେଳେ କଞ୍ଚୁଡୁ ପଞ୍ଚାୟତ ପୁରସ୍କାର ସରପଞ୍ଚ ମଦନ ମୋହନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ସାହୁ ଗ୍ରହଣ କରିଥିଲେ । ଶାସନ ଆମ୍ବଗାଁ ପାଇଥିବା ପୁରସ୍କାର ସରପଞ୍ଚ ଜନାର୍ଦ୍ଧନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ଗ୍ରହଣ କରିଥିଲେ । କୁଲାଡ଼ ଗ୍ରାମ ପଞ୍ଚାୟତ ପୁରସ୍କାର ସରପଞ୍ଚ ଭି. ସଂଯୁକ୍ତା ରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ଆଙ୍କୁଲି ଗ୍ରାମ ପଞ୍ଚାୟତ ପୁରସ୍କାର ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କମ୍ପ୍ୟୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନ ପ୍ରମୁଖ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ୬ ଗୋଟି ପୁରସ୍କାର ଗ୍ରହଣ ସମୟରେ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.