pakka

ଭାରତୀୟ ରେଡ୍‌କ୍ରସ୍ ସୋସାଇଟି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସହାୟତା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ବିତ୍ପାତ ଯୋଗୁଁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୯ଟି ପଞ୍ଚାୟତର ୮୭ଗ୍ରାମ ସମେତ ଚଳିତ ବନ୍ୟାରେ ବୁଧବାର ସୁଦ୍ଧା ବ୍ଲକର ୬୪,୦୭୯ଲୋକ ପ୍ରଭାବିତ ହୋଇଥିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସରକାରୀ ସ୍ତରରେ ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ରିଲିଫ୍ ବଣ୍ଟନ କରାଯାଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଅନୁରୋଧ କ୍ରମେ ବୁଧବାର ଭାରତ ରେଡ୍‌କ୍ରସ୍ ସୋସାଇଟ୍, ଭୁବନେଶ୍ୱର ପକ୍ଷରୁ ଡେଲାଙ୍ଗ ବ୍ଲକ ମୁନିନ୍ଦା ଓ କୋଠବାଡ ପଞ୍ଚାୟତର କେତେକ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ବଣ୍ଟନ କରିବାକୁ ଶୁଖିଲା ଖାଦ୍ୟ ଏବଂ ସ୍ୱାସ୍ଥ୍ୟ କିଟ୍ ଆଦି ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି । ଭାରତ ରେଡ୍‌କ୍ରସ୍ ସୋସାଇଟ୍, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱରର ଅବୈତନିକ ସଚିବ ସିଟିଏମ୍ ସୁଗୁଣାଙ୍କ ତତ୍ତ୍ଵାବଧାନରେ ରେଡ୍‌କ୍ରସ୍‌ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳକ ଅକ୍ଷୟ ଦାଶ, ଜ୍ଞାନଦା ପ୍ରସାଦ ସାହୁ ଓ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡ୍‌କ୍ରସ୍‌ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ସମେତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ମୁନିନ୍ଦା, ଡାକପଡ଼ା, ଶଙ୍ଖପାଟ, ଗଜପାଟଣା, ବେଲପଡ଼ା, ସାନ ମୁନିନ୍ଦା, ଚାନ୍ଦୋଳ, ଅଳଉତା, ସେବତୀପୁର, ପୂର୍ବପାରି, ମୋହନପୁର, ସାନ ଆଙ୍କୁଲା ପ୍ରଭୃତି ଗ୍ରାମ ଗସ୍ତ କରି ବନ୍ୟା ପ୍ରପୀଡ଼ିତମାନଙ୍କୁ ସ୍ୱାସ୍ଥ୍ୟ କିଟ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ବନ୍ୟା ସମୟରେ ଲୋକଙ୍କ ଦୁଃଖ ସହ ସମଭାଗୀ ହୋଇ ସହାୟତାର ହାତ ବଢ଼ାଇଥିବାରୁ ଗ୍ରାମବାସୀମାନେ ସୁଶ୍ରୀ ପ୍ରଧାନଙ୍କ ସମେତ ରେଡ୍‌କ୍ରସ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ଏହି ରିଲିଫ୍ ବିତରଣ କାର୍ଯ୍ୟରେ ରେଡ୍‌କ୍ରସ୍ ସଂସ୍ଥାର ଅମୀୟ ପ୍ରଧାନ, କୈବଲ୍ୟ ଦାସ, ପ୍ରକାଶ ବେହେରା, ହେମନ୍ତ ବେହେରା ଓ ଆକାଶ କୁମାର ପ୍ରଧାନଙ୍କ ସମେତ ସୁଧୀର ମଉଡମଣି, ସୁଶିଲ ମୁକୁଟମଣି ପ୍ରମୁଖ ସହଯୋଗ କରିଥିଲେ । ଡେଲାଙ୍ଗ ଥାନା ପକ୍ଷରୁ ସେକେଣ୍ଡ ଅଫିସର ତଥା ଉପଆରକ୍ଷୀ ନିରୀକ୍ଷକ ଲିଜା ମଲ୍ଲିକ, କନଷ୍ଟେବଳ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ତୁଲାଇଥିଲେ । ରେଡ୍‌କ୍ରସ୍‌ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.

7 − one =