‘କବିତା ଆପଣଙ୍କର – ସୁର ଓ ସ୍ଵର ମୋର’ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ‘ଜୟଦେବ କଳା ବିକାଶ କେନ୍ଦ୍ର’ ଆନୁକୁଲ୍ୟରେ ଜଗଦା ସାଂସ୍କୃତିକ ପରିଷଦ ସଭା ପ୍ରକୋଷ୍ଠରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ଆହୁତ ଏହି ସମ୍ମିଳନୀରେ ମୁଖ୍ୟତଃ ଏକ ଅଭିନବ ସଂଗୀତ ପ୍ରତିଯୋଗିତା ସମ୍ପର୍କରେ ଆଲୋଚନା ହୋଇଥିଲା । ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଣ୍ଡା କହିଲେ ଯେ, ‘କବିତା ଆପଣଙ୍କର – ସୁର ଓ ସ୍ଵର ମୋର’ ଭଳି ଏକ ଅଭିନବ ସଂଗୀତ ପ୍ରତିଯୋଗିତା ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ପ୍ରତିଯୋଗୀମାନଙ୍କର ବୟସ ଅନ୍ୟୁନ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବ । ପ୍ରତିଯୋଗୀ ଆକାଶବାଣୀ/ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ସଂଗୀତ ସଂଯୋଜକ ହୋଇ ନ ଥିବେ । ରାଉରକେଲାର ପ୍ରତିଷ୍ଠିତ ଗୀତି କବିମାନଙ୍କ ଦ୍ଵାରା ରଚିତ ସୁଗମ ଗୀତଗୁଡ଼ିକୁ ପ୍ରତିଯୋଗୀମାନେ ନିଜର ସ୍ୱର ସଂଯୋଜନା କରି ଗାୟନ କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭାର ଅନ୍ୱେଷଣ ହେବା ସହ ପ୍ରତିଯୋଗୀମାନଙ୍କର ସାଂଗୀତିକ ସୃଜନଶୀଳତା ଠାବ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା ସଂସ୍ଥାର ଏକମାତ୍ର ଆଭିମୁଖ୍ୟ ବୋଲି ସେ କହିଥିଲେ । ଏଥି ସହ ପ୍ରତିଯୋଗିତାର ୪୮ଘଣ୍ଟା ପୂର୍ବରୁ ପ୍ରତିଯୋଗୀମାନଙ୍କୁ ଦୁଇଟି ସୁଗମ ଗୀତ ଯୋଗାଇ ଦିଆଯିବ । ପ୍ରତିଯୋଗୀମାନେ କୌଣସି ଗୋଟିଏ ସୁଗମ ଗୀତକୁ ନିଜସ୍ଵ ଶୈଳୀରେ ସଙ୍ଗୀତ ସଂଯୋଜନା କରି ନିଜସ୍ୱ ସ୍ୱରରେ କଣ୍ଠଦାନ କରିବେ । ପ୍ରତିଯୋଗିତା ଓ ଚୟନ ପ୍ରକ୍ରିୟା ମାଧ୍ୟମରେ ବିଚାରକ ମଣ୍ଡଳୀ ଓ ଜୁରୀଗଣ କ୍ରମାନ୍ୱୟରେ ୧୦ ଜଣଙ୍କୁ ଶ୍ରେଷ୍ଠ ବିବେଚନା କରିବାକୁ ଯୋଜନା କରାଯାଇଛି । ସର୍ବଶ୍ରେଷ୍ଠ ବିବେଚିତ ୧ମ, ୨ୟ, ୩ୟ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର, ଆର୍ଥିକ ପୁରସ୍କାର ଓ ବିଜୟ ଫଳକ ପ୍ରଦାନ କରାଯିବାର ଯୋଜନା କରାଯାଇଛି । ଅନ୍ୟ ୪ ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ଆର୍ଥିକ ପୁରସ୍କାର ସହ ମାନପତ୍ର ଓ ସ୍ମାରକୀ ଫଳକ ପ୍ରଦାନ କରାଯିବ । ଶେଷ ୩ ଜଣ ପ୍ରତିଯୋଗୀଙ୍କୁ ମାନପତ୍ର ସହ ସ୍ମାରକୀ ଫଳକ ପ୍ରଦାନ କରାଯିବ । ଅପ୍ରେଲ ୨୫ ତାରିଖ ଠାରୁ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ ପ୍ରାର୍ଥୀ/ ପ୍ରାର୍ଥିନୀମାନଙ୍କୁ ସଂସ୍ଥା ତରଫରୁ ନିୟମାବଳୀ ସହିତ ଆବେଦନ ପତ୍ର ନିଃଶୁଳ୍କ ଯୋଗାଇ ଦିଆଯିବ । ପ୍ରତିଯୋଗୀମାନେ ନିଜ ସୁବିଧା ଅନୁଯାୟୀ ନିମ୍ନ ପ୍ରଦତ୍ତ ମୋବାଇଲ ହ୍ୱାଆଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ । ମୋବାଇଲ ନମ୍ବର/ହ୍ୱାଆଟ୍ସଆପ୍ ନମ୍ବର : ୭୦୦୮୦୧୯୫୨୭, ୯୦୪୦୫୫୩୪୬୬, ୭୯୭୮୧୧୬୬୯୪, ୭୦୦୮୪୪୫୨୪୧, ୭୯୭୮୪୦୯୪୩୩ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜୟଦେବ କଳା ବିକାଶ କେନ୍ଦ୍ରର ସଦସ୍ୟ ସଂଜୀବ ମହାନ୍ତି, ପିତାମ୍ବର ଲେଙ୍କା, ପରଭେଜ ଆରୋରା, କ୍ରିଷ୍ଣା ସିଂହ, ଗୋକୁଳାନନ୍ଦ ଦାଶ, ସୁକାନ୍ତ ମହାପାତ୍ର, ଭାସ୍କର ପୁହାଣ, ଡ଼. ସୁଶାନ୍ତ ପାଣି, ବ୍ରଜେନ୍ଦ୍ର ଦାଶ, ପ୍ରଭାତ ସାମଲ, ସୌମ୍ୟରଞ୍ଜନ କର, କରୁଣାକର ସାହୁ, ପ୍ରଭାତ ମହାନ୍ତି, ପ୍ରଦୀପ ପତି, ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନରେନ୍ ଦାସ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 × three =