କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଲୋକେ । ଗତକାଲି ସଂଧ୍ୟା ସମୟରେ ବୀରମହାରାଜପୁର ଥାନାରୁ ପିସିଆର ଭେନ ବାହାରି ବୀରମହାରାଜପୁର ସାଂବାଦିକ ଭବନ ନିକଟରେ ଏକ ଜଳଖିଆ ଠେଲା ଦୋକାନ ଆଗରେ ଅଟକିଥିଲା । ଗାଡିରେ ଥିବା ପୋଲିସ ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ ସେଇଠି ଦେଖାଇଥିଲେ ଦବଂଗଗିରି । ଗାଡିରୁ ଦବଂଗ ଷ୍ଟାଇଲରେ ଓହ୍ଲାଇ ହଠାତ ଠେଲା ଆଗରେ ଭିଡ ଜମାଇଥିବା ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ତାପରେ ଠେଲାରେ ଫୁଟୁଥିବା ଗରମ ତେଲ କଢାଇରେ ପ୍ରହାର କରିଥିଲେ । ଫଳରେ କଢେଇରେ ଫୁଟୁଥିବା ଗରମ ତେଲ ଦୋକାନ ମାଲିକ ସୁଦାମ ବିଶ୍ୱାଳଙ୍କ ଦେହସାରା ପଡିଯାଇଥିଲା । ଘଟଣା ଘଟାଇ ପିସିଆର ଭେନ ଘଟଣାସ୍ଥଳରୁ ଫେରାର ମାରିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସୁଦାମକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାକୁ ନେଇ ଆଜି ବୀରମହାରାଜପୁରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ଧରି ଲୋକେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କରି ରଖିଥିଲେ । ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସାଂଗକୁ ପୀଡ଼ିତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ କରିଥିଲେ । ପରେ ସ୍ଥାନୀୟ ବୁଦ୍ଧିଜୀବୀ, ବଣିକସଂଘ କର୍ମକର୍ତ୍ତା ଏବଂ ପୋଲିସ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପରେ ରାସ୍ତାରୋକ ହଟିଥିଲା ।

Leave A Reply

Your email address will not be published.