jsm

ସଂଘର୍ଷ ଓ ସମର୍ପଣ ହିଁ ମଣିଷକୁ ସମାଜରେ ପରିଚୟ ଦେଇଥାଏ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସଂଘର୍ଷ ଓ ସମର୍ପଣ ହିଁ ମଣିଷକୁ ସମାଜରେ ନିଜର ପରିଚୟ ଦେଇଥାଏ ବୋଲି ଆଜି ସ୍ଥାନୀୟ ଟାଉନ ହଲଠାରେ ଗାନ୍ଧୀ ସ୍ମୃତି ପାଠାଗାର ବରଗଡ ପକ୍ଷରୁ ଆୟୋଜିତ ସ୍ଵର୍ଗତ ପଦ୍ମଶ୍ରୀ ଡ. କୃତାର୍ଥ ଆଚାର୍ଯ୍ୟଙ୍କ ୧୨୩ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି ସାହିତ୍ୟ ପତ୍ରିକା କାଦମ୍ବିନୀର ସମ୍ପାଦିକା ବିଶିଷ୍ଟ ସାହିତ୍ୟିକା ଡ.ଇତି ସାମନ୍ତ । ପାଠାଗାରର ଉପ ସଭାପତି ଅଧ୍ୟାପକ ପ୍ରଦୀପ ହୋତାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଡ. ସାମନ୍ତ ଆହୁରି କହିଥିଲେ ଯେ ସ୍ଥାନ, କାଳ ଓ ପାତ୍ର ଦେଖି କାର୍ଯ୍ୟ କଲେ ମଣିଷକୁ ଆପେ ସଫଳତା ଓ ସମ୍ମାନ ମିଳିଥାଏ । ସେ କହିଥିଲେ ଯେ ପଦ୍ମଶ୍ରୀ ଡ. କୃତାର୍ଥ ଆଚାର୍ଯ୍ୟ ଯେତେ ମହାନ୍ ଥିଲେ ତାଙ୍କ କାର୍ଯ୍ୟ ମଧ୍ୟ ସେତେ ମହାନ୍ ଥିଲା । ଏହି ମାଟିର କଳା, ସଂସ୍କୃତି, ସାହିତ୍ୟ ଓ ବିଶେଷ କରି ବାନ୍ଧ କଳା ତଥା ସମ୍ବଲପୁରୀ ବସ୍ତ୍ର ବୁଣିବା ଠାରୁ ଆରମ୍ଭ କରି ତାର ପ୍ରଚାର ପ୍ରସାର ପାଇଁ ତାଙ୍କ ଅବଦାନ ତାଙ୍କୁ କାଳଜୟୀ କରି ଗଢି ତୋଳିଛି । ସେ ତାଙ୍କର ବକ୍ତବ୍ୟରେ ଉଭୟ ରାମାୟଣ, ମହାଭାରତ ତଥା ନିଜ ବ୍ୟକ୍ତିଗତ ଜୀବନରେ ଅଙ୍ଗେ ନିଭାଇଥିବା ବିଷୟରେ ଆଲୋଚନା କରି ନାରୀ କିଭଳି ନିଜର ପରିଚୟ ପାଇଁ ସମାଜରେ ସଂଘର୍ଷ କରିଥାଏ ତାର ଉଦାହରଣ ଦେଇଥିଲେ । ସେ ସମାଜରେ ଉଭୟ ନାରୀ ଓ ପୁରୁଷ ଉଭୟଙ୍କୁ ସମ୍ମାନ ଦେବା ଦରକାର ବୋଲି କହିଥିଲେ । ସେହିଭଳି ସେ ଧର୍ମ ଅପେକ୍ଷା କର୍ମର ଗୁରୁତ୍ୱ ବେଶୀ ବୋଲି କହିବା ସହ ଆପଣ ଯେତେ ଧର୍ମ କଲେ ବି ଯଦି ଆପଣଙ୍କ କର୍ମ ଠିକ୍ ନଥିବ ତାହେଲେ କରିଥିବା ଧର୍ମର କିଛି ଲାଭ ପାଇପାରିବେ ନାହିଁ ବୋଲି ଡ. ସାମନ୍ତ କହିବା ସହ ତାଙ୍କର କାଳଜୟୀ କାର୍ଯ୍ୟ ସକାଶେ ସ୍ୱର୍ଗତ ଡ. କୃତାର୍ଥ ଆଚାର୍ଯ୍ୟ ସମାଜରେ ସବୁବେଳେ ଅଗ୍ରପୂଜ୍ୟ ହୋଇ ରହିବେ ବୋଲି କହିଥିଲେ । ସଭା ପ୍ରାରମ୍ଭରେ ପାଠାଗାର ସଦସ୍ୟା ଅଧ୍ୟାପିକା ସଂଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାରେ ଡ. ସାମନ୍ତଙ୍କୁ ପାଠାଗାର ପକ୍ଷରୁ ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁନିଲ ଦେବତା, ପାଠାଗାରର ସଦସ୍ୟ ଅଶୋକ କମାର ଯୋଶୀ, ପତିତପାବନ ସାହୁ, ଜୟଶ୍ରୀ ସାହୁ, ଜୟ ପ୍ରକାଶ ଶତପଥୀ, ଉମେଶ ବିଶ୍ୱାଳ, ଲଲାଟେନ୍ଦୁ ଦାଶ, ଗୌରୀ ଶଙ୍କର ପଣ୍ଡା, ଅମିୟ ଭୂଷଣ ସାହୁ, ରବି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.