ବସୁଧୈବ କୁଟୁମ୍ବକମ୍‌ର ପରିବେଶ ସୁରକ୍ଷା ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ପବିତ୍ର ଗୁରୁପୂର୍ଣିମା ଅବସରରେ ବନ ମହୋତ୍ସବ ଓ ପରିବେଶ ସୁରକ୍ଷା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି କହିଥିଲେ । ଜଳବାୟୁର ତାରତମ୍ୟତା, ଋତୁଚକ୍ରର ପରିବର୍ତ୍ତନ ଓ ଅସନ୍ତୁଳନ ତାପମାତ୍ରାର ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷର ଅତ୍ୟନ୍ତ ଉପାଦେୟତା ଥିବା ବେଳେ ଅଧିକରୁ ଅଧିକ ଚାରା ରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଗୁରୁପୂର୍ଣିମାର ଆଦ୍ୟ ପ୍ରବର୍ତ୍ତକ ମହର୍ଷି ବ୍ୟାସଦେବଙ୍କ ଜୀବନୀ ଉପରେ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚାରା ରୋପଣ କରିବା ସହିତ ଏହାର ଯତ୍ନ ନେବାର ଏକାନ୍ତ ଆବଶ୍ୟକତା ରହିଛି । ଅତିଥି ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ମଂଜୁଳା ରଥ କହିଲେ ଯେ, ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷର ଉପାଦେୟତା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଚିତ । କବି ରାଜୀବ ପାଣି, ରେବତୀ ବଲ୍ଲଭ ବେହେରା, ରାଜକୁମାର ମହାନ୍ତି ପ୍ରମୁଖ ବୃକ୍ଷର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହିତ ସମସ୍ତେ ନିଜ ନିଜ ସ୍ତରରେ ଗଛର ସୁରକ୍ଷା ଓ ଚାରା ରୋପଣ ପାଇଁ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବୃକ୍ଷର ଉପାଦେୟତା ଓ ପରିବେଶ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା ଓ ତର୍କ ପ୍ରତିଯୋଗିତା ହୋଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଅନିଲ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁଶାନ୍ତ କୁମାର ନାୟକ, ସୂର୍ଯ୍ୟକାନ୍ତ ପଣ୍ଡା, ଶମ୍ବୁନାଥ ପରିଡା, ପ୍ରଭାକର ସାହୁ, ଧୀରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.