ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ : ସହାୟତା ଦାବୀରେ ଶବକୁ ରଖି ରାସ୍ତା ଅବରୋଧ, ପ୍ରଶାସନର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଲୋକେ
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବରପଦର ଗାଁର ମୁରଲୀ କୁମ୍ଭାର(୫୫) ତାଙ୍କ ସ୍ତ୍ରୀ ମେନକା କୁମ୍ଭାରଙ୍କ ସହ ଗତ ଦୁଇ ମାସ ତଳେ ପେଟ ପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କୁନୁକୁପାଡୁ ଅଞ୍ଚଳରେ ଥିବା କାଳାମ ଟେକ୍ସଟାଇଲ(ସୂତା) ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ମୁରଲି କୁମ୍ଭାର କମ୍ପାନୀ କାମ କରୁଥିବା ସମୟରେ କମ୍ପାନୀରେ ଥିବା ବଇଲର ମେସିନରେ ପଡିଯାଇଥିଲେ । ସେଠାରେ ତାଙ୍କର ଅସ୍ୱାଭାବିକ ଭାବରେ ମୃତ୍ୟୁ ଘଟିଥିଲା । ଆଜି ଆମ୍ବୁଲାନ୍ସ ଯୋଗେ ମୁରଲୀଙ୍କ ମୃତଦେହ ଗାଁକୁ ପହଞ୍ଚିବା ପରେ ଶୋକାକୂଳ ପରିବେଶ ହୋଇଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଜନମଞ୍ଚ ସିଭିଲ ସୋସାଇଟି ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ପରିବାର ଲୋକେ ବରପଦର ଭାରତ ପେଟ୍ରୋଲ ପମ୍ପ ନିକଟ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଓ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ପାଟଣାଗଡ଼-ଦମକିପାଲି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଶ୍ରମବିଭାଗ ପକ୍ଷରୁ ଉକ୍ତ କମ୍ପାନୀ ନାମରେ ଆଇନଗତ ଏକ ମାମଲା ରୁଜୁ କରି ପରିବାର ଲୋକଙ୍କୁ କମ୍ପାନ୍ ସେସନ୍ (କ୍ଷତିପୁରଣ ସହାୟତା) ରାଶି କମ୍ପାନୀ ବହନ କରିବ ବୋଲି କହିଛନ୍ତି । ଖବର ପାଇ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ସହକାରୀ ଜିଲ୍ଲା କ୍ଷୀରୋଦ ଚନ୍ଦ୍ର ସାହୁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହ ସଙ୍ଗେ ସଙ୍ଗେ ବିଧବା ଭତ୍ତା ଯୋଗାଇ ଦିଆଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ଓହରି ଥିଲେ । ମୃତକ ଜଣକ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ସ୍ତ୍ରୀ ମେନକା କୁମ୍ଭାର ଦୁଇ ପୁଅ ଅଗସ୍ତି କୁମ୍ଭାର ଓ ଅମିନ କୁମ୍ଭାର ଭାଙ୍ଗି ପଡିଛନ୍ତି । ମୃତକଙ୍କ ବଡ଼ ପୁଅ ଅଗସ୍ତି ଆଇଟିଆଇ କରୁଥିବା ବେଳେ ଅମିନ ବେରୋଜଗାର ଥିବାରୁ ସେ ପିଲାଙ୍କ ପାଠପଢ଼ା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । ଏବେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଅନ୍ୟ ପକ୍ଷରେ ଅଣପ୍ରଶିକ୍ଷଣ ପ୍ରାପ୍ତ ଶ୍ରମିକକୁ କିପରି ଏକ ବିପଦଜନକ ସ୍ଥାନରେ କାମରେ ଉକ୍ତ କାଲାମ ଟେକ୍ସଟାଇଲ ଲିମିଟେଡ କାମରେ ଲଗାଇଲା ଓ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଉକ୍ତ ଟେକ୍ସଟାଇଲ କମ୍ପାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାକୁ ଗ୍ରାମବାସୀ ଦାବୀ କରିଛନ୍ତି ।