pakka

ଧାନମଣ୍ଡି ଅଚାନକ ପରିଦର୍ଶନ କଲେ ବିଧାୟକ

bbehera
  • ଧାନକିଣା ବୈଠକର ନିଷ୍ପତ୍ତି ପାଣିର ଗାର ପାଲଟିଛି – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସ୍ତରୀୟ ଧାନ କିଣା ବୈଠକରେ ଘଣ୍ଟା ଘଣ୍ଟା ଧରି ଅଲୋଚନା ହେଉଛି । ଚାଷୀ ସ୍ୱାର୍ଥ ପାଇଁ ସର୍ବସମ୍ମତି କ୍ରମେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଉଛି । କିନ୍ତୁ ଧାନ କିଣା ବେଳକୁ ସମସ୍ତ ନିଷ୍ପତ୍ତି ପାଣିର ଗାର ପ୍ରତୀତ ହେଉଛିି । ଆହୁରି ସରକାରୀ ଚେତାବନୀ ସତ୍ୱେ ଧାନ କିଣା କେନ୍ଦ୍ରରେ ମିଲ ମାଲିକ ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ସ୍ପଷ୍ଟ ବାରି ହେଉଛି ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅଂଚଳ ଗସ୍ତ ସମୟରେ ଦେଓଗାଁ, ଜରାସିଂହା ଓ ଅର୍ଜୁନପୁର ଧାନକିଣା କେନ୍ଦ୍ର ପରିଦର୍ଶନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ସକାଳୁ ବିଧାୟକ ଶ୍ରୀ ମିଶ୍ର ଦେଓଗାଁ ଗସ୍ତ କରି ଅଚାନକ ଦେଓଗାଁ, ଜରାସିଂହା ଓ ଅର୍ଜୁନପୁର ମଣ୍ଡି ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ କୌଣସି ମଣ୍ଡିରେ ଜିଲ୍ଲାସ୍ତରୀୟ ଧାନକିଣା ବୈଠକରେ ସ୍ଥିର ହୋଇଥିବା ନିଷ୍ପତ୍ତିକୁ ଧାନକିଣା କେନ୍ଦ୍ରର ଅଧିକାରୀମାନେ ପାଳନ କରୁନଥିବା ସ୍ପଷ୍ଟ ଜଣାପଡିଥିଲା । ମଣ୍ଡିରେ କୌଣସି ଚାଷୀର ଧାନ ଓଜନ ପାଇଁ ଅନ୍‌ଲୋଡ କରାଯାଉନଥିବା ବେଳେ ସମସ୍ତ ଧାନକୁ ସିଧାସଳଖ ମିଲକୁ ପଠାଇ ଦିଆଯାଉଛି । ଯଦ୍ୱାରା ମିଲ ମାଲିକମାନେ ଏଫ୍‌ଏକ୍ୟୁ ବାହାନାରେ କ୍ୱିଣ୍ଟାଲ ପିଛା ୫ରୁ ୮ କିଲୋ ପର୍ଯ୍ୟନ୍ତ ଧାନ ଓଜନରୁ କାଟି ଦେଉଥିବା ନେଇ ଉପସ୍ଥିତ ଚାଷୀମାନେ ପେକ୍ସ ସଂପାଦକଙ୍କ ବିରୁଦ୍ଧରେ ସ୍ପଷ୍ଟ ଅଭିଯୋଗ କରିଥିଲେ । ତା’ଛଡା ଧାନକିଣା କେନ୍ଦ୍ରରେ ଧାନ ଭର୍ତ୍ତି ଅନେକ ଟ୍ରାକ୍ଟର ଲମ୍ବା ଲାଇନରେ ଛିଡା ହୋଇଥିଲେ ହେଁ ପୂର୍ବାହ୍ନ ୧୦.୩୦ ସୁଦ୍ଧା ଧାନ ଅନ୍‌ଲୋଡ କରିବା ପାଇଁ କୌଣସି ଗୋଟିଏ ବି ଶ୍ରମିକ ଉପସ୍ଥିତ ରହୁ ନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଏ ବିଷୟରେ ପଚାରିବାରୁ ସଂପାଦକ କହିଥିଲେ ଯେ, ଆଜି କୌଣସି କାରଣ ବଶତଃ ଲେବରମାନଙ୍କ ଆସିବାରେ ବିଳମ୍ବ ହୋଇଛି । କିନ୍ତୁ ଧାନ ସିଧାସଳଖ ମିଲକୁ ଯାଉଥିବା ବେଳେ ମଣ୍ଡିରେ ଶ୍ରମିକର କୌଣସି ଆବଶ୍ୟକତା ହିଁ ନାହିଁ ଏବଂ ପେକ୍ସ ତରଫରୁ ଶ୍ରମିକଙ୍କ ନାଁରେ ମିଥ୍ୟା ବିଲ କରି ଟଙ୍କା ବାଟମାରଣା କରାଯାଉଥିବା ବିଷୟ ସ୍ପଷ୍ଟ ହୋଇଥିଲା । ଏ ବାବଦରେ ବିଧାୟକ ଶ୍ରୀ ମିଶ୍ର ସିଧାସଳଖ ଧାନକିଣା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଶ୍ରୀ ଧରୁଆଙ୍କୁ ଫୋନ ଯୋଗେ ଏହା ଉପରେ ସ୍ୱତନ୍ତ୍ର ଅନୁସନ୍ଧାନ କରନ୍ତୁ ଏବଂ ଜରିବସ୍ତା ଯେଉଁ ଜାଗାରେ ମନା କରୁଛନ୍ତି ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ ଯେପରି ସେମାନେ ଜରିବସ୍ତା ନେବା ପାଇଁ ମନା ନ କରିବେ ଏବଂ ଏହାର ସଠିକ୍ ମୂଲ୍ୟ ମଧ୍ୟ ଯାହା ସରକାର ନିର୍ଦ୍ଧାରିତ କରିଛନ୍ତି ସେ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଠିକ୍ ସେହିପରି ଦିବା ଘ.୧୧.୧୫ ସୁଦ୍ଧା ଜରାସିଂହା ଧାନକିଣା କେନ୍ଦ୍ରରେ ମଧ୍ୟ ଧାନକିଣା ଆରମ୍ଭ ହୋଇନଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଅପରାହ୍ନରେ ଅର୍ଜୁନପୁରଠାରେ ମଣ୍ଡି ପରିଦର୍ଶନ କରି ଶ୍ରୀ ମିଶ୍ର ଚାଷୀଙ୍କ ଅଭିଯୋଗ ଶୁଣିଥିଲେ । ସେଠାରେ ବିନା ମେସିନରେ ନନ୍ ଏଫ୍‌ଏକ୍ୟୁରୁ ଏଫ୍‌ଏକ୍ୟୁ କରିବା ପାଇଁ ମିଲ ମାଲିକ ଏବଂ ଧାନକିଣା କର୍ମଚାରୀ ମିଳିମିଶି ୫ ରୁ ୮ କେଜି ପର୍ଯ୍ୟନ୍ତ ଧାନ କାଟୁଥିବା ଚାଷୀ ଅଭିଯୋଗ କରିଥିଲେ । ତା’ସହ ସେଠାରେ ମଧ୍ୟ ଜରିବସ୍ତା ଗ୍ରହଣ କରିବା ନିର୍ଦ୍ଦେଶ ଥିଲେ ମଧ୍ୟ ଏଠାରେ ପେକ୍ସ ଏବଂ ମିଲ ମାଲିକ ମନା କରୁଥିବାରୁ ଚାଷୀ ହଇରାଣ ହେଉଥିବା ନଜରକୁ ଆସିଥିଲା । ଉପସ୍ଥିତ ଥିବା ଚାଷୀମାନଙ୍କୁ ଧାନ କିଣାକୁ ନେଇ ବିଧାୟକ ଶ୍ରୀ ମିଶ୍ର ସଚେତନ କରିବା ସହ ଏହାର ବିଭିନ୍ନ ନୀତି ନିୟମ ବାବଦରେ ବୁଝାଇଥିଲେ । ତା’ ସତ୍ୱେ କୌଣସି ମିଲ ମାଲିକ କିମ୍ବା ପେକ୍ସ ସଂପାଦକ ଧାନ କିଣାକୁ ନେଇ ହଇରାଣ କରୁଛନ୍ତି ତେବେ ତାଙ୍କୁ ତୁରନ୍ତ ଫୋନ କରି ଜଣାନ୍ତୁ ବୋଲି କହିଥିଲେ ।

Leave A Reply

Your email address will not be published.

12 + 11 =