ରାଉରକେଲା ବିକାଶ ମଞ୍ଚ ତରଫରୁ ୪ସି ବିମାନ ବନ୍ଦର ପାଇଁ ଦାବୀପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଆଗାମୀ ହକି ବିଶ୍ୱକପ ଉପଲକ୍ଷେ ହେଉଥିବା ବିପିୟୁଟି ପରିସରରେ ନିର୍ମାଣାଧୀନ ହକି ଷ୍ଟାଡିୟମ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ରାଉରକେଲା ହାଉସଠାରେ କରିଥିଲେ । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ସମସ୍ତ ସରକାରୀ ଅଫିସର, ଇସ୍ପାତ କାରଖାନାର ଅଫିସର ମାନେ ଯୋଗ ଦେଇଥିଲେ । ରାଉରକେଲା ବିକାଶ ମଞ୍ଚ ତରଫରୁ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ ଆର୍ତ୍ତ ମହାରଣା ଓ ଆବାହକ ଡ଼କ୍ଟର ସୁମନ ଦତ୍ତ ସମସ୍ତ ଭିତିଭୂମି ଥିବା ରାଉରକେଲା ବିମାନ ବନ୍ଦର ରନୱେର ଉନ୍ନତିକରଣ କରି ଏହାକୁ ଏକ ୪ସି ଲାଇସେନ୍ସ ଯୁକ୍ତ ଉନ୍ନତ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦାବୀପତ୍ର ଉପସ୍ଥାପନା କରିବା ସହ ଆଲୋଚନା କରିଥିଲେ । ଶ୍ରୀ ମହାପାତ୍ର ଏହାକୁ ତର୍ଜମା କରି ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବାରୁ ରାଉରକେଲା ବିକାଶ ମଞ୍ଚ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ପ୍ରକାଶ ଥାଉକି ଗତ କିଛି ଦିନ ତଳେ ବିମାନ ବନ୍ଦର କତ୍ତୃପକ୍ଷଙ୍କ ଆଞ୍ଚଳିକ ଟେକ୍ନିକାଲ ନିର୍ଦ୍ଦେଶକ ଆସିଥିବା ବେଳେ ବିକାଶ ମଞ୍ଚର ଉପଦେଷ୍ଟା ଅଭୟ ଦାସ, ଆବାହକ ଡ଼କ୍ଟର ସୁମନ ଦତ୍ତ ଓ ଆଇଟି ହେଡ଼ ସୁପ୍ରତୀକ ମିଶ୍ର ବିମାନ ବନ୍ଦର ଉନ୍ନତି ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଥିଲେ । ସେଠାରେ ଉପସ୍ଥିତ ଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର ଏହାକୁ ହୃଦୟଙ୍ଗମ କରି ୪ସି ବିମାନ ବନ୍ଦର ପାଇଁ ସରକାରଙ୍କୁ ମଧ୍ୟ ସୁପାରିଶ କରିଛନ୍ତି । ଏ ବିଷୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ, ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ, ଫାଇଭ ଟି ସଚିବ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଏମ୍‌ପି ଅମର ପଟ୍ଟନାୟକ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ମଧ୍ୟ ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

Leave A Reply

Your email address will not be published.

fourteen + seventeen =

error: Content is protected !!