pakka

ନୃସିଂହ ଚତୁର୍ଦ୍ଦଶୀ ପାଇଁ ବୈଶାଖ ମେଳା ଚଳଚଞ୍ଚଳ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହ ନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଗୁରୁବାର ଆରମ୍ଭ ହୋଇଯାଇଛି । ତେବେ ଏହି ମେଳା ୧୬ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଭକ୍ତ ମାନଙ୍କର ପ୍ରବଳ ସମାଗମ ପରିଲକ୍ଷିତ ହେଉଛି । ଆଜି ବୈଶାଖ ମେଳାର ବିଶ୍ଵଶାନ୍ତି ମହାଯଜ୍ଞ ତୃତୀୟ ଦିନରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ଵଶାନ୍ତି ମହାଯଜ୍ଞ କର୍ତ୍ତା ଭାବେ ଖଣ୍ତିଝରଣ ଗ୍ରାମ ଗୌନ୍ତିଆ ଚୁଡ଼ାମଣି ଭୁଏ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ଭୁଏ କାର୍ଯ୍ୟନିର୍ବାହ କରିଥିବା ବେଳେ ମୁଖ୍ୟ ପଣ୍ଡିତ ଡିଗ୍ରୀଧର ଦେବତା, ରାମଚନ୍ଦ୍ର ତ୍ରିପାଠୀ, ସିଦ୍ଧେଶ୍ୱର ସାବତ, ଆଶୁତୋଷ ପାଣିଗ୍ରାହୀ, ମିତ୍ରଭାନୁ ଦେବତା, ଗୋକୁଳ ମହାମାତ୍ର, ରଜତ ପଣ୍ଡା, ଉମେଶ ଚନ୍ଦ୍ର ଦେବତା, ବିକାଶ ଦେବତା, ନୃସିଂହ ହୋତା ପ୍ରମୁଖ ବେଦ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରିଥିଲେ ।

ନୃସିଂହ ମେଳା ନୃସିଂହ ନାଥ ପୀଠରେ ଚାଲିଥିବା ପ୍ରସିଦ୍ଧ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଦେଖିବାକୁ ଶ୍ରଦ୍ଧାଳୁ ମାନେ ମନରେ ଭକ୍ତି ଭାବପୂର୍ଣ୍ଣ ସଞ୍ଚାରିତ ହେବା ଓ ଆବେଗ ସାନିଧ୍ୟ ଜାଗ୍ରତ ହୋଇଥିବା ବେଳେ ମନ୍ଦିର ପୀଠରେ ସୁସଜ୍ଜିତ ଆଲୋକମାଳାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମନକୁ ମୁଗ୍ଧ କରୁଛି । ମେଳାରେ ଅତିଥି କଳାକାର ମାନଙ୍କର ପରିବେଷଣକୁ ଭକ୍ତମାନେ ଭରପୁର ଆନନ୍ଦରେ ବିଭୋର ହେଉଛନ୍ତି । ପାଇକମାଲ ବ୍ଳକ ସରପଞ୍ଚ ସଂଘ ତରଫରୁ ଜଳଛତ୍ର ଖୋଲି ଶ୍ରଦ୍ଧାଳୁ ମାନଙ୍କୁ ପାଣି ଯୋଗାଉଥିବାରୁ ସରପଞ୍ଚ ସଂଘକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବୈଶାଖ ମେଳା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ଆୟୋଜନ କରାଯାଉଥିବା ମେଳାର ଦାୟିତ୍ଵ ଗ୍ରହଣ କରି ସୁସମ୍ପାଦନ କରିଥିବାରୁ ମନ୍ଦିର ପରିଚାଳନା କାର୍ଯ୍ୟନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅଞ୍ଚଳର ଜନସାଧାରଣ ତଥା ଶ୍ରଦ୍ଧାଳୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଜନ୍ମୋତ୍ସବ ବୈଶାଖ ମେଳାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିନ୍ଧ୍ୟବାସିନୀ ମଣ୍ତପରେ ଉଦଘାଟିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ପାଇକମାଲ ବିଡିଓ ଉପାଂଜଳୀ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ବୈଶାଖ ମେଳା ଲୋକ ମହୋତ୍ସବକୁ ଉଦଘାଟନ କରିଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଝାରବନ୍ଧ ବିଡିଓ ସୁନୀଲ ମେହେରଙ୍କ ସମେତ ସାଂସ୍କୃତିକ କମିଟୀ ସଦସ୍ୟ, ମେଳା କମିଟୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ସଂସ୍କାର ଭାରତୀ ଭୁବନେଶ୍ଵରର କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, କଳାଜୀବୀ, ବରଗଡ କଳାକାର ମାନଙ୍କ ଦ୍ୱାରା ଡାଳଖାଇ ନୃତ୍ୟ, ବିଜେପୁର କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆଦି ପରିବେଷଣ ହୋଇଥିଲା । ଶେଷରେ ବରିଷ୍ଠ ସେବାୟତ ସୁବୋଧ ପଣ୍ଡା ବିଡିଓ ଉପାଂଜଳୀ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

ten − 4 =