csstore

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

  • ବିକଶିତ ଭାରତ ସଂକଳ୍ପ ଯାତ୍ରା କେବଳ ସରକାରଙ୍କ ଯାତ୍ରା ନୁହେଁ ବରଂ ଦେଶର ଯାତ୍ରାରେ ପରିଣତ ହୋଇଛି
  • ଯେତେବେଳେ ଗରିବ, କୃଷକ, ମହିଳା ଓ ଯୁବ ଗୋଷ୍ଠୀ ସଶକ୍ତ ହେବେ, ସେତେବେଳେ ଦେଶ ସଶକ୍ତ ହେବ
  • ଭିବିଏସ୍‌ୱାଇର ମୁଖ୍ୟ ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନା ଗୁଡିକର ଲାଭରୁ ବାଦ୍
    ନପଡନ୍ତି
  • କୃଷକମାନଙ୍କର ପ୍ରତ୍ୟେକ ଅସୁବିଧାକୁ ଦୂର କରିବା ପାଇଁ ଆମ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟସ୍ତରର ପ୍ରତିନିଧିମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ । ସଭାକୁ ସମ୍ବର୍ଦ୍ଧିତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିବିଏସ୍‌ୱାଇ ନିକଟରେ ୫୦ ଦିନ ପୂରଣ କରିଛି ଏବଂ ପ୍ରାୟ ୧୧ କୋଟି ଲୋକଙ୍କ ସହ ଯୋଡ଼ି ହୋଇଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା କେବଳ ସରକାରଙ୍କ ଯାତ୍ରା ହୋଇ ରହିନାହିଁ , ବରଂ ଦେଶର ଯାତ୍ରାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମତ ଦେଇଥିଲେ, ମୋଦି କି ଗାଡି ଦେଶର କୋଣ ଅନୁକୋଣରେ ପହଞ୍ଚୁଛି । ସରକାରୀ ଯୋଜନାର ଲାଭ ପାଇବା ପାଇଁ ଅପେକ୍ଷା କରି ଜୀବନ କାଟୁଥିବା ଗରିବ ଲୋକମାନେ ଆଜି ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଦେଖୁଛନ୍ତି । ସରକାର ହିତାଧିକାରୀମାନଙ୍କ ଦ୍ୱାରରେ ପହଂଚି ସକ୍ରିୟ ଭାବେ ସୁବିଧା ଯୋଗାଇ ଦେଉଛନ୍ତି । ମୋଦି କି ଗ୍ୟାରେଣ୍ଟି କି ଗାଡି ସହିତ ସରକାରୀ କାର୍ଯ୍ୟାଳୟ ଓ ଜନପ୍ରତିନିଧି ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ବୋଲି ସେ କହିଥିଲେ । ‘ମୋଦୀ କି ଗ୍ୟାରେଣ୍ଟି’ ବିଷୟରେ ବିଶ୍ୱବ୍ୟାପୀ ଚାଲିଥିବା ଚର୍ଚ୍ଚା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟିର ରୂପରେଖ ଏବଂ ମିଶନ ମୋଡରେ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚିବାର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ ଏବଂ ବିକଶିତ ଭାରତର ସଂକଳ୍ପ ଏବଂ ଯୋଜନାର ବ୍ୟାପକତା ମଧ୍ୟରେ ରହିଥିବା ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପିଢ଼ି ଧରି ଗରିବ, ଯୁବକ, ମହିଳା ଏବଂ କୃଷକମାନେ କରୁଥିବା ସଂଘର୍ଷ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସରକାର ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିଙ୍କୁ ଯେପରି ପୂର୍ବ ପିଢ଼ି ଭଳି ଜୀବନଯାପନ କରିବାକୁ ପଡ଼ିବ ନାହିଁ ତାହା ଚାହୁଁଛନ୍ତି । ଆମେ ଦେଶର ଏକ ବିଶାଳ ଜନସଂଖ୍ୟାକୁ ଛୋଟ ଦୈନନ୍ଦିନ ଆବଶ୍ୟକତା ପାଇଁ ସଂଘର୍ଷରୁ ବାହାର କରିବାକୁ ଚାହୁଁଛୁ । ତେଣୁ ଗରିବ, କୃଷକ, ମହିଳା ଓ ଯୁବକଙ୍କ ଭବିଷ୍ୟତ ଉପରେ ଆମେ ଧ୍ୟାନ ଦେଉଛୁ । ଆମ ପାଇଁ ଏମାନେ ହେଉଛନ୍ତି ଦେଶର ୪ଟି ବୃହତ୍ତମ ଜାତି । ଯେତେବେଳେ ଗରିବ, କୃଷକ, ମହିଳା ଓ ଯୁବଗୋଷ୍ଠୀ ସଶକ୍ତ ହେବେ, ସେତେବେଳେ ଦେଶ ଶକ୍ତିଶାଳୀ ହେବ । ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଯେ, ଭିବିଏସ୍‌ୱାଇର ମୁଖ୍ୟ ଲକ୍ଷ୍ୟ ହେଉଛି ଯେପରି କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାର ଲାଭ ପାଇବାରୁ ବାଦ୍ ନପଡନ୍ତି । ଭିବିଏସ୍‌ୱାଇ ଯାତ୍ରା ଆରମ୍ଭ ହେବା ପରଠାରୁ ଉଜ୍ଜ୍ୱଳା ସଂଯୋଗ ପାଇଁ ୧୨ ଲକ୍ଷ ନୂଆ ଆବେଦନ ସହ ସୁରକ୍ଷା ବୀମା ଯୋଜନା, ଜୀବନ ଜ୍ୟୋତି ଯୋଜନା, ପିଏମ୍‌ ସ୍ୱନିଧି ପାଇଁ ଲକ୍ଷଲକ୍ଷ ଆବେଦନ ଆସିଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ଭିବିଏସ୍‌ୱାଇର ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ଯେଉଁଥିରେ ୧ କୋଟି ଲୋକଙ୍କର ଯକ୍ଷ୍ମା ରୋଗ ପାଇଁ ଯାଂଚ ଏବଂ ୨୨ ଲକ୍ଷ ଲୋକଙ୍କର ସିକଲ୍ ସେଲ୍ ରୋଗ ପାଇଁ ଯାଞ୍ଚ ଅନ୍ତର୍ଭୁକ୍ତ । ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତରମାନେ ଗରିବ, ଦଳିତ ଏବଂ ଆଦିବାସୀଙ୍କ ଦ୍ୱାରରେ ପହଞ୍ଚୁଛନ୍ତି ଯାହାକୁ ପୂର୍ବ ସରକାରମାନେ ଆହ୍ୱାନ ବୋଲି ବିବେଚନା କରୁଥିଲେ । ସେ ଆୟୁଷ୍ମାନ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଯେଉଁଥିରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଗରିବଙ୍କ ପାଇଁ ମାଗଣା ଡାଏଲିସିସ୍ ଏବଂ ଜନ ଔଷଧି କେନ୍ଦ୍ରରେ ଶସ୍ତା ଔଷଧ ଯୋଗାଇ ଦିଆଯାଏ । ସାରା ଦେଶରେ ନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗ୍ରାମ ଓ ଗରିବ ଲୋକମାନଙ୍କ ପାଇଁ ଏକ ବିରାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ମହିଳା ସଶକ୍ତିକରଣ ଉପରେ ସରକାରଙ୍କ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ମୁଦ୍ରା ଯୋଜନା ମାଧ୍ୟମରେ ଋଣ ଉପଲବ୍ଧତା, ବ୍ୟାଙ୍କ ମିତ୍ର, ପଶୁ ସଖୀ ଏବଂ ଆଶା କର୍ମୀ ଭୂମିକାରେ ଦାୟିତ୍ୱ ନିର୍ବାହ କରୁଥିବା ମହିଳାମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ୧୦ କୋଟି ମହିଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି, ଯେଉଁଠାରେ ସେମାନଙ୍କୁ ୭.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ଏହି କାରଣରୁ ଅନେକ ଭଉଣୀ ବର୍ଷ ବର୍ଷ ଧରି ଲକ୍ଷପତି ଦିଦି ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦିମାନଙ୍କ ସଂଖ୍ୟାକୁ ଆହୁରି ୨ କୋଟି ବୃଦ୍ଧି କରିବା ପାଇଁ ସରକାରଙ୍କ ଅଭିଯାନ ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ସୂଚନା ଦେଇଥିଲେ, ଯେଉଁଥିରେ ଭିବିଏସ୍ୱାଇ ସମୟରେ ପ୍ରାୟ ୧ ଲକ୍ଷ ଡ୍ରୋନ ପ୍ରଦର୍ଶନ କରାଯାଇଛି । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜନସାଧାରଣଙ୍କୁ ମିଶନ ମୋଡରେ ନୂଆ ଟେକ୍ନୋଲୋଜି ସହ ଯୋଡାଯାଉଛି ବୋଲି ସେ କହିଛନ୍ତି । ବର୍ତ୍ତମାନ କେବଳ କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାର ପାଇଁ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଆଗାମୀ ଦିନରେ ଏହାର ପରିସର ଅନ୍ୟ କ୍ଷେତ୍ରରେ ବିସ୍ତାର ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ, ପୂର୍ବ ସରକାରମାନଙ୍କରେ ଦେଶରେ କୃଷି ନୀତି ସମ୍ପର୍କରେ ଯେଉଁ ଆଲୋଚନା ହେଉଥିଲା ତାହା କେବଳ ଉତ୍ପାଦନ ଓ ବିକ୍ରୟ ମଧ୍ୟରେ ସୀମିତ ଥିଲା ଏବଂ ପ୍ରତିଦିନ କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡିକୁ ଅଣଦେଖା କରୁଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ପ୍ରତ୍ୟେକ କୃଷକଙ୍କୁ ଅତି କମ୍ରେ ୩୦,୦୦୦ ଟଙ୍କା ହସ୍ତାନ୍ତର, ପ୍ୟାକ୍ସ, ଏଫ୍ପିଓ ଭଳି ସଂସ୍ଥା ସହିତ କୃଷିକ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା, ସଂରକ୍ଷଣ ସୁବିଧା ବୃଦ୍ଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହନ ଦେବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ହରଡ ଡାଲି ଚାଷ କରୁଥିବା କୃଷକମାନେ ବର୍ତ୍ତମାନ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ସିଧାସଳଖ ଅନଲାଇନରେ ବିକ୍ରି କରିପାରିବେ ଏବଂ ବଜାରରେ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଉତ୍ତମ ମୂଲ୍ୟରେ କ୍ରୟ ସୁନିଶ୍ଚିତ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନାର ପରିସର ମଧ୍ୟରେ ଅନ୍ୟ ଡାଲିକୁ ମଧ୍ୟ ଅଣାଯିବ । “ଆମର ପ୍ରୟାସ ହେଉଛି ଯେପରି ଡାଲି କିଣିବା ପାଇଁ ଆମେ ବିଦେଶକୁ ପଠାଉଥିବା ଟଙ୍କା ଦେଶର କୃଷକମାନଙ୍କ ପାଖକୁ ଯିବ” । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଭିବିଏସ୍‌ୱାଇ ଶୋ’ ଚଳାଉଥିବା ଟିମ୍ର ପ୍ରୟାସକୁ ପ୍ରଶଂସା କରିଥିଲେ, ଯେଉଁଥିରେ ସ୍ଥାନୀୟ ପ୍ରଶାସନ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହ ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଭାବନାରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆମକୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶେଷରେ କହିଛନ୍ତି । ପୃଷ୍ଠଭୂମି ୧୫ ନଭେମ୍ବର ୨୦୨୩ରେ ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯ ଡିସେମ୍ବର , ୧୬ ଡିସେମ୍ବର ଏବଂ ଡିସେମ୍ବର ୨୭) ଏହି ଆଲୋଚନା ଚାରି ଥର ହୋଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗତ ମାସରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭ – ୧୮) ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀମାନଙ୍କ ସହ ଶାରୀରିକ ଭାବରେ ଆଲୋଚନା କରିଥିଲେ । ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀମାନଙ୍କ ପାଖରେ ପହଂଚି ପାରିବ, ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସମନ୍ୱୟ ହାସଲ କରିବା ନିମନ୍ତେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି । ୨୦୨୪ ଜାନୁଆରି ୫ ତାରିଖରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀମାନଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିବା ସହ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ଭିବିଏସ୍‌ୱାଇ ଆରମ୍ଭ ହେବାର ୫୦ ଦିନ ମଧ୍ୟରେ ପହଂଚିଥିବା ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ସଂଖ୍ୟା ବିକଶିତ ଭାରତର ମିଳିତ ଦର୍ଶନ ଦିଗରେ ସମଗ୍ର ଦେଶବାସୀଙ୍କୁ ଏକଜୁଟ କରିବା କ୍ଷେତ୍ରରେ ଯାତ୍ରାର ଗଭୀର ପ୍ରଭାବ ଏବଂ ଅତୁଳନୀୟ କ୍ଷମତାକୁ ସୂଚାଇଥାଏ ।

jayashree
Leave A Reply

Your email address will not be published.