ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ : ସ୍ୱଚ୍ଛ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ବରଗଡ଼, (ନିରୋଜ କୁମାର ପାଣୀ) : ଗତକାଲି ନିର୍ବାଚନ କମିଶନଙ୍କ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମୋନୀଷା ବାନାର୍ଜୀ ଆଜି ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ଏକ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଦଳ ତଥା ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ନିର୍ବାଚନ ତାରିଖ ଘୋଷଣା ପରେ ଆଚରଣବିଧି ଲାଗୁ ହୋଇସାରିବା ବେଳେ ଏହାକୁ ସମସ୍ତେ ମାନିବାକୁ ନିବେଦନ କରିଥିଲେ । ଉପନିର୍ବାଚନ ପାଇଁ ଆସନ୍ତା ୫ ଡିସେମ୍ବରରେ ଭୋଟ ଗ୍ରହଣ ହେବ । ଏଥିପାଇଁ ୩୧୯ ଟି ବୁଥ ରହିଛି । ସେଥି ମଧ୍ୟରେ ପିଙ୍କ୍ ବୁଥ, ମୋଡେଲ ବୁଥ, ବୟସ୍କଙ୍କ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସେ କହିଥିଲେ । ଆସନ୍ତା ୧୦ ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ହେବା ପରେ ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଉପନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେହେତୁ ଉକ୍ତ ଉପଖଣ୍ଡ ମାଓ ପ୍ରବଣ ଅଟେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲା ଏସ୍‌ପି ସ୍ମିତ ପୁରୁଷୋତ୍ତମ ଦାଶ କହିଥିଲେ । ଏଥି ସକାଶେ ୯ଟି କମ୍ପାନୀ କେନ୍ଦ୍ରୀୟ ଆର୍ମ ପୋଲିସ ଫୋର୍ସ ପ୍ରଦାନ ପାଇଁ ଚିଠି କରାଯାଇଛି । ସେହିପରି ୪୦ ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, କୃତିବାସ ରାଉତ, ଜିଲ୍ଲା ପରିଷଦର ସିଇଓ, ନିର୍ବାଚନ ଅଧିକାରୀ ମମତା ସାହୁ, ପଦ୍ମପୁର ଉପଜିଲ୍ଲାପାଳ, ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ, ଭାଜପାର ରବିନାରାୟଣ ଦାଶ, ପ୍ରୀତମ ସିଂ, ବିଜୁ ଜନତା ଦଳର ହାଡୁ ମଲ୍ଲିକ, କଂଗ୍ରେସ ଦଳର ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

five + twenty =