ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ କଟକଣା ପାଳନ ପୂର୍ବକ ଚଳିତ ବର୍ଷ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସ୍ୱାଧୀନତା ଦିବସର ପ୍ରାତଃ ସମୟରେ ସହରରେ ରାମଧୁନ ପ୍ରଚାର କରାଯିବ । ସକାଳ ଘଂ୦୬-୦୦ ଘଣ୍ଟା ସମୟରେ ସହରର ବିଭିନ୍ନ ଛକରେ ଓ କାର୍ଯ୍ୟାଳୟରେ ଅବସ୍ଥାପିତ ମହାପୁରୁଷ ତଥା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପୁଷ୍ପମାଲ୍ୟାର୍ପଣ କରାଯିବ । ସକାଳ ଘଂ୦୭-୩୦ ମି ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସ୍ୱାଧୀନତା ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ଘଂ୦୯-୧୫ ମିନିଟ ସମୟରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ମଧ୍ୟ କୋଭିଡ ନିୟମର ଅନୁପାଳନ ପୂର୍ବକ କେବଳ ପୋଲିସ ବ୍ୟାଣ୍ଡ ଓ ପୋଲିସ ପ୍ୟାରେଡ଼ ଦଳ ଅଂଶଗ୍ରହଣ କରିବେ । ଚଳିତ ସ୍ୱାଧୀନତା ଦିବସ ସମାରୋହ ପ୍ୟାରେଡ଼ରେ କୌଣସି ବିଦ୍ୟାଳୟ ଅଥବା ମହାବିଦ୍ୟାଳୟର ପ୍ଲାଟୁନ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି । ପ୍ୟାରେଡ଼ ପଡିଆରେ ମଧ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ସେହିପରି ଉତ୍ସବ ସ୍ଥଳକୁ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଛି । ସ୍ୱାଧୀନତା ଦିବସ ଉତ୍ସବରେ ପ୍ୟାରେଡ଼ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ । ଜିଲ୍ଲାସ୍ତରୀୟ ଉତ୍ସବ ପରି ଜିଲ୍ଲାର ଉପଖଣ୍ଡ ସ୍ତରରେ, ବ୍ଲକ ସ୍ତରରେ ତଥା ପଞ୍ଚାୟତ ସ୍ତରରେ ମଧ୍ୟ କୋଭିଡ କଟକଣା ଅନୁପାଳନ ପୂର୍ବକ ସମାରୋହ ଅନୁଷ୍ଠିତ ହେବ । ଉତ୍ସବ ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଜାତୀୟତାବୋଧକ ସଙ୍ଗୀତ ଆବୃତ୍ତି, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀମତୀ ନିଶିପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ
ବିବରଣୀ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

five × two =