pakka

ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଣ ଅଭିଯୋଗରେ ଚାକିରିରୁ ବହିଷ୍କାର କଲେ ଜିଲ୍ଲାପାଳ

bbehera

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତରେ କିଛିଦିନ ତଳେ ମୃତ ବ୍ୟକ୍ତିମାନଙ୍କ ଭତ୍ତା ଟଙ୍କା ଉଠାଣ ବିଷୟ ଜୋର ଚର୍ଚ୍ଚା ହୋଇଥିଲା । ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ପଞ୍ଚାୟତ ଯୋଗାଣ ସହାୟକ ହେମନ୍ତ ସାହୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଫିସରେ କାର୍ଯ୍ୟରତ ଶ୍ରୀକାନ୍ତ ଗଡତ୍ୟା ଦୁହେଁ ମିଶି ଝାରମୁଣ୍ଡାର ଅନେକ ମୃତ ବ୍ୟକ୍ତିଙ୍କ ବର୍ଷ ବର୍ଷ ଧରି ବେଆଇନ ଭାବରେ ଭତ୍ତା ଟଙ୍କା ହଡପକୁ ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନର ତଦନ୍ତ ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗାଣ ସହାୟକ ହେମନ୍ତ ସାହୁ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଶ୍ରୀକାନ୍ତ ଗଡତ୍ୟାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ପଂଚାୟତ ଅଧୀନସ୍ଥ ଗ୍ରାମର କେତେକ ମଧୁବାବୁ ପେନସନ ଓ ଏନ୍‌ଏସ୍‌ପି ଯୋଜନାରେ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠିଥିବାର ନୂତନ ଭାବେ ନିର୍ବାଚିତ ସରପଞ୍ଚ ଏ ବିଷୟ ଜାଣିବାକୁ ପାଇଥିଲେ । ତଦନ୍ତ ପରେ ପଞ୍ଚାୟତରେ ୫୬ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠିଥିବା ଜଣାପଡିଥିଲା । ଏହା ଉପରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ସିଡିପିଓଙ୍କୁ ମୃତ ବ୍ୟକ୍ତିଙ୍କ ତାଲିକା ମାଗିବା ସହ ଲୋଇସିଂହା ବିଡିଓ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଞ୍ଚାୟତରେ ବଣ୍ଟନ ହୋଇଥିବା ଭତ୍ତା ରେଜିଷ୍ଟର ମାଗି ଜବତ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ । ୨୦୨୧ ଏପ୍ରିଲରୁ ୨୦୨୧ ସେପ୍ଟେମ୍ବର ଓ ଅକ୍ଟୋବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ ରେଜିଷ୍ଟର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପଠାଯାଇଥିଲା । ଏହାପରେ ସୁଧ ସହ ହଡପ ଟଙ୍କା ଅସୁଲି ପାଇଁ ଉପଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ୩ଲକ୍ଷ ୧୭ ହଜାର ୮ଶହ ଟଙ୍କା ଯୋଗାଣ ସହାୟକଙ୍କଠାରୁ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଶ୍ରୀ ଗଡତ୍ୟାଙ୍କଠାରୁ ୯୯ ହଜାର ଟଙ୍କା ଅସୁଲି ପାଇଁ ନିର୍ଦେଶ ଦେଇଥିଲେ । ଉକ୍ତ ଟଙ୍କା ଜୁଲାଇ ୧୧ ତାରିଖ ବ୍ଲକ ପ୍ରଶାସନ ନିକଟରେ ଜମା ଦେଲେ । ଦାୟିତ୍ୱରେ ଅବହେଳା କାରଣରୁ ଜୁଲାଇ ୧୬ ତାରିଖ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଆଗଲପୁର ବ୍ଲକକୁ ବଦଳି କଲେ । ଜୁଲାଇ ୨୮ ତାରିଖରେ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୬୦୪ରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଓ ୧୬୦୬ରେ ଯୋଗାଣ ସହାୟକଙ୍କୁ ଚାକିରିରୁ ବହିଷ୍କାର କରିଥିବା ଭାରପ୍ରାପ୍ତ ବିଡିଓ ବିଜୟ କୁମାର ହୋତା ପ୍ରକାଶ କରିଛନ୍ତି । ଝାରମୁଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ବ୍ଲକର ଅନ୍ୟାନ୍ୟ ପଂଚାୟତ ମାନଙ୍କରେ ମଧ୍ୟ ଏଭଳି ଘଟଣା ଘଟିଥାଇପାରେ ବୋଲି ଲୋକେ ଆଲୋଚନା କରିବା ସହ ପ୍ରଶାସନର ଦୃଷ୍ଟି ସହ ତଦନ୍ତ ଆବଶ୍ୟକ ବୋଲି ଦାବୀ କରୁଛନ୍ତି ।

Leave A Reply

Your email address will not be published.

14 + nineteen =