ଦାବୀ ପୂରଣ ନ ହେଲେ ଉପନିର୍ବାଚନରେ ଅସହଯୋଗ କରିବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ଲୋକଙ୍କ ନିମନ୍ତେ ଅନେକ ଭେଟି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଅସନ୍ତୁଷ୍ଟ ପ୍ରାଥମିକ ଶିକ୍ଷକମାନଙ୍କ ଚେତାବନୀ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକେଇବା ଭଳି ପରିସ୍ଥିତି ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ପ୍ରାଥମିକ ଶିକ୍ଷକମାନଙ୍କୁ ଅଣଦେଖା କରିବା ଆଗାମୀ ଉପନିର୍ବାଚନରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ । ଶନିବାର ପାଇକମାଲଠାରେ ଆୟୋଜିତ ହୋଇଥିବା ବିରାଟ ଶିକ୍ଷକ ରାଲିରେ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ଝାରବନ୍ଧ, ପାଇକମାଲ ଏବଂ ପଦ୍ମପୁର ବ୍ଲକର ପ୍ରାଥମିକ ଶିକ୍ଷକମାନେ ୪ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପାଇକମାଲ ତହସିଲଦାର ପରକ୍ଷୀତ ସାହୁଙ୍କ ମାଧ୍ୟମରେ ଜଣାଇଥିଲେ । ଏଥିରେ ତିନୋଟି ବ୍ଲକର ପ୍ରାୟ ୭୦୦ ଶିକ୍ଷକ ଯୋଗ ଦେଇଥିଲେ । ମୁଖ୍ୟ ଦାବୀ ଗୁଡିକ ଥିଲା ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ନିଯୁକ୍ତି ତାରିଖରୁ ୬ ବର୍ଷର ଶିକ୍ଷକତା ସହ ଗଣନା କରାଯାଇ ବର୍ଦ୍ଧିତ ହାରରେ ଦରମା ପ୍ରଦାନ କରାଯାଉ, ୨୮୦୦ ଗ୍ରେଡ ପେ ଲାଗୁ କରିବା ଓ ଜେଟିମାନଙ୍କୁ ନିୟମିତ କରିବା, ଏକ୍ସକ୍ୟାଡ଼ର ଉଚ୍ଛେଦ ଏବଂ ନୂତନ ପେନସନ୍‌ ଉଚ୍ଛେଦ କରି ପୁରୁଣା ପେନସନ୍‌ ଲାଗୁ କରିବା । ଏହି ଦାବୀଗୁଡିକୁ ପୁରଣ ନ କଲେ ଆଗାମୀ ପଦ୍ମପୁର ଉପନିର୍ବଚନରେ ଅସହଯୋଗ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚେତାବନୀ ଦେଇଛନ୍ତି । ଶିକ୍ଷକ ସଂଘ ତରଫରୁ ଦିବସ କୁମାର ସାହୁ, ରଘୁନାଥ ପୁରୀ, ବିଷ୍ଣୁ ସାହୁ, ରଞ୍ଜନ ବାଗ ଆଦି ଶିକ୍ଷକ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

2 × five =