ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

● ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସୁବିଧା ସୁଯୋଗର ଉନ୍ମୋଚନ
● ଦେଶର କାର୍ବନ ଫୁଟପ୍ରିଣ୍ଟ ଶତକଡା ୩୦ ରୁ ୩୫ ହ୍ରାସ କରି ପ୍ରାକୃତିକ ବାଷ୍ପ ବ୍ୟବହାର ୪ଗୁଣ ବୃଦ୍ଧି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
● ଏକବିଂଶ ଶତାବ୍ଦୀର ଯୁବପିଢି ଉନ୍ମୁକ୍ତ ଚିନ୍ତାଧାରା ସହ ଆଗେଇବାକୁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟର ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ୪୫ ମେଗାୱାଟଯୁକ୍ତ ମନୋକ୍ରିଷ୍ଟାଲିନ ସୋଲାର ଫୋଟୋ ଭୋଲ୍ଟାଇକ ପ୍ୟାନେଲ ଯୁକ୍ତ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାବ୍ୟତୀତ ଶ୍ରୀ ମୋଦୀ ଉଦ୍ଭାବନ ଓ ଇନକ୍ୟୁବେଶନ ସେଣ୍ଟର, ପ୍ରଯୁକ୍ତି ବ୍ୟାପାର ଇନକ୍ୟୁବେଶନ, ଅନୁବାଦ ଗବେଷଣା କେନ୍ଦ୍ର ଓ କ୍ରିଡାଙ୍ଗନ ଇତ୍ୟାଦି ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ କରିଛନ୍ତି ।
ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ବର୍ତ୍ତମାନ ଯେଭଳି ଏକ ଜଟିଳ ସ୍ଥିତି ଦେଇ ଗତିକରୁଛି ସେତେବେଳେ ଜଣେ ସ୍ନାତକୋତ୍ତର ଉପାଧି ହାସଲ କରିବା ସହଜ ନୁହେଁ । ତୁମମାନଙ୍କର ସାମର୍ଥ୍ୟ ଓ ଶକ୍ତି ଅଧିକ । ସେ କହିଥିଲେ ଯେ, ବୈଶ୍ଵିକ ମହାମାରୀ ଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଏମିତି ଏକ ଶିଳ୍ପ କ୍ଷେତ୍ରରେ ପ୍ରବେଶ କରୁଛନ୍ତି ଯେତେବେଳେ କି ସମଗ୍ର ବିଶ୍ଵରେ ଶକ୍ତି କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଦେଖାଦେଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଭାରତରେ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି, ଉଦ୍ୟୋଗ ଓ ନିଯୁକ୍ତି ପାଇଁ ବିରାଟ ସାମର୍ଥ୍ୟ ରହିଛି । ସେ କହିଥିଲେ ଯେ, ଆଜି ଦେଶ ଶତକଡା ୩୦ ରୁ ୩୫ ଭାଗ ପର୍ୟ୍ୟନ୍ତ ଅଙ୍ଗାରକ ହ୍ରାସ କରିବା ପାଇଁ ଆଗେଇ ଚାଲିଥିବା ବେଳେ ଚଳିତ ଦଶନ୍ଧିରେ ପ୍ରାକୃତିକ ବାଷ୍ପ ୪ଗୁଣ ବୃଦ୍ଧି କରିବାକୁ ଚେଷ୍ଟା ଚାଲିଛି । ଆସନ୍ତା ୫ ବର୍ଷ ମଧ୍ୟରେ ତୈଳ ବିଶୋଧନ ସାମର୍ଥ୍ୟ ଦ୍ଵିଗୁଣିତ କରିବା ସହ ଶକ୍ତି ସୁରକ୍ଷା ଜନିତ ଷ୍ଟାର୍ଟଅପ ବାତାବରଣକୁ ମଜବୁତ କରାଯାଉଛି । ଛାତ୍ରଛାତ୍ରୀ ଓ ବୃତ୍ତିଧାରୀମାନଙ୍କ ପାଇଁ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଜୀବନର କୌଣସି ଉଦ୍ଦେଶ୍ୟ ହାସଲ ନିମନ୍ତେ ପ୍ରୟାସ କରିବାକୁ ଉପଦେଶ ଦେଇଛନ୍ତି । ସଫଳ ବ୍ୟକ୍ତିମାନଙ୍କର ଜୀବନରେ ଯେ ସମସ୍ୟା ନାହିଁ, ସେକଥା ନୁହେଁ, ମାତ୍ର ଯିଏ ଆହ୍ଵାନକୁ ଗ୍ରହଣ କରେ, ଘାତପ୍ରତିଘାତକୁ ସାମନା କରି ତାକୁ ପରାସ୍ତ କରେ ଓ ସମସ୍ୟାର ସମାଧାନ କରେ, ସେ ହିଁ ସଫଳତା ପାଇଥାଏ । ଯେଉଁମାନେ ଜୀବନରେ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି, ସେମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ସେ କହିଥିଲେ ଯେ, ୧୯୨୨ ରୁ ୧୯୪୭ ମଧ୍ୟରେ ଦେଶର ଯୁବଗୋଷ୍ଠୀ ସ୍ଵାଧୀନତା ପାଇଁ ସମସ୍ତ ତ୍ୟାଗ ସ୍ଵୀକାର କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଦେଶପାଇଁ ଆତ୍ମନିର୍ଭର ଭାରତ ଆନ୍ଦୋଳନରେ ଯୋଗ ଦେଇ ଦାୟିତ୍ଵପୂର୍ଣ୍ଣ ହେବା ପାଇଁ ଆହ୍ଵାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦାୟିତ୍ଵବୋଧ ଥିଲେ ସଫଳତା ଆପେ ଆପେ ଆସିବ ଏବଂ ଦାୟିତ୍ଵବୋଧ ଜୀବନର ଲକ୍ଷ୍ୟ ହାସଲରେ ସହାୟକ ହେବ । ଯେଉଁମାନଙ୍କର ଦାୟିତ୍ଵବୋଧ ରହିଛି, ସେମାନେ ଜୀବନରେ ସଫଳତା ହାସଲ କରିଛନ୍ତି । ମାତ୍ର ଯେଉଁମାନେ ଜୀବନର କଠିନ ମାର୍ଗକୁ ଆହ୍ଵାନଭାବେ ଗ୍ରହଣ କରିନାହାନ୍ତି, ସେମାନେ ଲକ୍ଷ୍ୟ ହାସଲ ଦିଗରେ ଅସଫଳ ହୋଇଛନ୍ତି । ଦାୟିତ୍ଵବୋଧ ଯୋଗୁଁ ଜଣଙ୍କ ଜୀବନରେ ଅନେକ ସୁଯୋଗ ସୃଷ୍ଟି ହୋଇଥାଏ ବୋଲି କହି ଭାରତ ବର୍ଷ ଅନେକ କ୍ଷେତ୍ରରେ ପ୍ରଗତି କରୁଥିବା ବେଳେ ଯୁବ ସ୍ନାତକମାନେ ଅଙ୍ଗୀକାରବଦ୍ଧତା ସହ ତାହା ହାସଲ କରିବା ଉଚିତ ବୋଲି କହିଛନ୍ତି । ଶ୍ରୀ ମୋଦୀ ପ୍ରକୃତି ସହ ପରିବେଶର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି ।
ଏକ ମୁକ୍ତ ମନ ଓ ହୃଦୟ ନେଇ ବର୍ତ୍ତମାନର ଯୁବପିଢି ଆଗେଇ ଯିବାପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ମୁକ୍ତ ମନ ଓ ହୃଦୟର ଅର୍ଥ ହେଉଛି ମୁକ୍ତ ଓ ଅବାଧ ଉଦ୍ଦେଶ୍ୟ । ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ଵ ଭାରତ ଉପରେ ଅନେକ ଆଶା ରଖିଛି ଓ ସମସ୍ତ ଆଶା ଆକାଂକ୍ଷା ଛାତ୍ରଛାତ୍ରୀ ଓ ବୃତ୍ତିଗତ ଦକ୍ଷତା ଉପରେ ନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.