୬୨ତମ ଓଡ଼ିଶା ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

  • ଶହୀଦ ସ୍ମୃତିସ୍ତମ୍ବରେ ଗଞ୍ଜାମ ପୋଲିସ ପକ୍ଷରୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୬୨ତମ ଓଡ଼ିଶା ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ଜିଲ୍ଲା ଆନୁକୂଲ୍ୟରେ ଜିଲ୍ଲା ହେଡ-କ୍ୱାଟର ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ମିଳିତ ପରେଡ଼ ଉତ୍ସବରେ ଆନୁଷ୍ଠାନିକ ଧ୍ଵଜା ଉତ୍ତୋଳନ ରାଷ୍ଟ୍ରୀୟ ସଙ୍ଗୀତଗାନ, ତୋପସଲାମୀ ସହ ଶହୀଦ ସ୍ମୃତିସ୍ତମ୍ବରେ ସାମୂହିକ ଭାବେ ପୁଷ୍ପଗୁଚ୍ଛ, ପୁଷ୍ପାଞ୍ଜଳି ଦେଇ ବରେଣ୍ୟ ଅତିଥିଙ୍କ ଦ୍ୱାରା ଭକ୍ତିଭାବାପନ୍ନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସମ୍ମାନୀୟ ଗଞ୍ଜାମ ଜିଲ୍ଲାଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତାଦେଇ ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଶହୀଦ ପୋଲିସ ଯବାନଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଥମେ ରାଜ୍ୟପାଳଙ୍କ ବାର୍ତ୍ତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ପଠନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତଭାଷଣ ଦେଇଥିଲେ । ଗଞ୍ଜାମ ପୋଲିସ ଜିଲ୍ଲାର ୪ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତଥା ବହୁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ, ପୋଲିସ ସେନା ଯୋଗଦେଇଥିଲେ । ଛତ୍ରପୁର ଏସ୍‌ଡିପିଓ ଗୌତ୍ତମ କିଷାନ, ଛତ୍ରପୁର ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପରେଡ଼ ଆସିଷ୍ଟାଣ୍ଟ କୋମାନଣ୍ଡେଟ ମାନସ ରଞ୍ଜନ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶେଷରେ ଘୋଷବାଦ୍ୟ ତାଳେ ରାମଧୁନ ପରିବେଷଣ ମାଧ୍ୟମରେ ପରେଡ଼ ପରିକ୍ରମା ହୋଇ ଶହୀଦ ସ୍ମୃତିମଣ୍ଡପକୁ ଶ୍ରଦ୍ଧାସୁମନ ସହ ସମ୍ମାନ ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.