ନୁଆପଡାରେ କାର୍ଯ୍ୟରତ ୱାଚର ଦୁର୍ଘଟଣାଗ୍ରସ୍ତ : ଚିକିତ୍ସା ପାଇଁ ବୁର୍ଲାରେ ଭର୍ତ୍ତି

ନୁଆପଡା, (ନିରୋଜ କୁମାର ପାଣୀ) : ଖରିଆର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ନୁଆପଡା ରେଞ୍ଜର ଗୋଦାମ ଘର ମରାମତି ବେଳେ କାର୍ଯ୍ୟରତ ୱାଚର ଚମ୍ପେଶ୍ଵର ସାହାଣୀ ଗୋଦାମ ଘର ଉପରୁ ୧୦ ଫୁଟ ତଳକୁ ପଡି ଗୁରୁତର ଆହତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାରୁ ଜଣାଯାଇଛି ଯେ, ଶ୍ରୀ ସାହାଣୀ ଗତ ୨୦ ବର୍ଷ ଧରି ନୁଆପଡା କେନ୍ଦୁପତ୍ର ରେଞ୍ଜରେ କେନ୍ଦ୍ରୀୟ ଗୋଦାମ ୱାଚର ଭାବେ କାର୍ଯ୍ୟରତ ଥିଲେ । ଗତକାଲି ନୁଆପଡା ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ଗୋଦାମ ଘର ଉପରକୁ ଚଢି ଗୋଦାମ ଘର ମରାମତି କାର୍ଯ୍ୟରେ ଶ୍ରୀ ସାହାଣୀ ଲାଗିଥିବା ବେଳେ ହଠାତ ଉପରୁ ତଳକୁ ଖସି ପଡିଥିଲେ । ନୁଆପଡା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ବାମହାତ ଭାଙ୍ଗିଯିବା ସହ ମୁଣ୍ଡ ଓ ପିଟିରେ ଆଘାତ ହୋଇଛି । କାର୍ଯ୍ୟରତ ଅବସ୍ଥାରେ ଶ୍ରୀ ସାହାଣୀ ଦୁର୍ଘଟଣାଗ୍ରସ୍ତ ହେବାପରେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ କେନ୍ଦୁପତ୍ର ବିଭାଗ ବହନ କରିବା ପାଇଁ କେନ୍ଦୁପତ୍ର ଶ୍ରମିକ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।

Leave A Reply

Your email address will not be published.