ପାକିସ୍ତାନର ୪୦% ଲୋକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଆନ୍ତି ନାହିଁ : ଇମ୍ରାନ ଖାନ ବିଫଳତା ସ୍ୱୀକାର କଲେ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନରେ ୪୦% ଲୋକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇପାରୁ ନାହାଁନ୍ତି ଏବଂ ପୁଷ୍ଟିହୀନତା ହେତୁ ୪୦% ପିଲା ମାନସିକ ଏବଂ ଶାରୀରିକ ବିକାଶ ପାଇପାରୁ ନାହାଁନ୍ତି । ଇମ୍ରାନ ଖାନ କହିଛନ୍ତି ଯେ, ତାଙ୍କ ଦେଶ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ୱାନ ହେଉଛି ଖାଦ୍ୟ ସୁରକ୍ଷା । ଗୁରୁବାର ଇସଲାମାବାଦରେ କୃଷକଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଇମ୍ରାନ ଖାନ ଏହା କହିଛନ୍ତି ।

ଇମ୍ରାନ ଖାନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଖାଦ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ପାକିସ୍ତାନକୁ ବିଦେଶରୁ ବିପୁଳ ପରିମାଣର ଗହମ ଆମଦାନୀ କରିବାକୁ ପଡୁଛି, ଯାହା ତାଙ୍କ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଧ୍ୟ ହ୍ରାସ କରୁଛି । ଇମ୍ରାନ ଖାନ କହିଛନ୍ତି ଯେ, ପିଲାମାନେ ପାକିସ୍ତାନରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁନାହାଁନ୍ତି ଏବଂ ୪୦ ପ୍ରତିଶତ ପିଲାଙ୍କ ମାନସିକ କିମ୍ବା ଶାରୀରିକ ସ୍ତରରେ ବିକାଶ ହୋଇ ପାରୁନାହିଁ ।

ଇମ୍ରାନ ଖାନ କୃଷକମାନଙ୍କୁ ସମ୍ବୋଧିତ କରିବା ବେଳେ କହିଛନ୍ତି ଯେ, ଯଦି ଦେଶର ୧୫-୪୦ ପ୍ରତିଶତ ଲୋକେ ଭୋକରେ ରହୁଛନ୍ତି, ତେବେ ଲୋକମାନେ ଦେଶ ଚଳାଇବାକୁ ଦେବେ ନାହିଁ । ଇସ୍ରାଏଲ ଏବଂ ଚୀନ୍‌ର ଉଦାହରଣ ଦେଇ ଇମ୍ରାନ ଖାନ କହିଛନ୍ତି ଯେ, ସେମାନଙ୍କ ପରି ଦେଶର କୃଷକମାନେ ମଧ୍ୟ ପାକିସ୍ତାନର ଦାରଦ୍ର୍ୟ ଦୂର କରିବାକୁ ଚେଷ୍ଟା କରିବା ଉଚିତ । ଇମ୍ରାନ ଖାନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନର ପିଲାମାନେ ଆବଶ୍ୟକ କରୁଥିବା ମୁଖ୍ୟ ଜିନିଷ କ୍ଷୀର ପାଇବାକୁ ବି ସକ୍ଷମ ହୋଇ ପାରୁନାହାନ୍ତି ଏବଂ ଏହା ପଛର କାରଣ ହେଉଛି ପାକିସ୍ତାନରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଉଛି । ପାକିସ୍ତାନରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ଇମ୍ରାନ ଖାନ ବିଦେଶରୁ ଭଲ ପ୍ରଜାତିର ବୀଜ ଆମଦାନୀ କରିବା ବିଷୟରେ କହିଛନ୍ତି, ଯାହା ଦ୍ୱାରା ପାକିସ୍ତାନର ଦୁଗ୍ଧ ପ୍ରଦାନ କରୁଥିବା ପ୍ରାଣୀମାନଙ୍କର ଉନ୍ନତି ହୋଇପାରିବ ।

Leave A Reply

Your email address will not be published.