ଜିଲ୍ଲାପାଳଙ୍କ ଦ୍ୱାରା ଲୋକାର୍ପିତ ହେଲା କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଲୋକାର୍ପିତ ହୋଇଯାଇଛି କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ରାଣା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂପାଦନା ମଣ୍ଡଳୀର ସଦସ୍ୟ ସନାତନ ଠାକୁର ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଣା ଏହି ଅବସରରେ କହିଛନ୍ତି ଯେ, ଆଗାମୀ ସମୟରେ କୋଶଳ କଳାମଣ୍ଡଳର ସର୍ବାଙ୍ଗୀନ ବିକାଶ ତଥା ‘ଚତୁରଙ୍ଗ’ ପ୍ରକାଶନ ଦିଗରେ ଜିଲ୍ଲା ପ୍ରଶାସନ ଆନ୍ତରିକ ସହଯୋଗ ପ୍ରଦାନ କରିବ । ଡ. ଶିବପ୍ରସାଦ ନନ୍ଦ, କବି ଭାଗିରଥୀ ମିଶ୍ର, ପ୍ରଫେସର ରବିଚନ୍ଦ୍ର ପାଣ୍ଡିଆ ‘ଚତୁରଙ୍ଗ’ର ସ୍ୱର୍ଣ୍ଣିମ ଐତିହ୍ୟ ସଂପର୍କରେ ସମ୍ୟକ ଆଲୋକପାତ କରିଥିଲେ । ସଂଦୀପ କୁମାର କୁଅଁର ସଭା ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ୧୯୪୬ ମସିହା ପହିଲା ତାରିଖ ଦିନ ପାଟଣାର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୃଷ୍ଠପୋଷକତାରେ ବଲାଙ୍ଗିରର କଳା, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ଭାବରେ ଜନ୍ମ ନେଇଥିଲା କୋଶଳ କଳାମଣ୍ଡଳ ଏବଂ କୋଶଳ କଳାମଣ୍ଡଳ ପ୍ରତିଷ୍ଠା ପରେ ପରେ ତା୧୪/୦୫/୧୯୪୬ରେ କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ । ନୃତ୍ୟ, ସଂଗୀତ, କଳା ଓ ସାହିତ୍ୟର ପୁନରୁଦ୍ଧାର, ପ୍ରଚାର ପ୍ରସାର ତଥା ପ୍ରଗତି ପାଇଁ ‘ଚତୁରଙ୍ଗ’ ଅଗ୍ରଣୀ ଭୂମିକା ବହନ କରିଥିଲା । ତେବେ ସାରା ଓଡ଼ିଶାରେ ଦୀର୍ଘ କିଛି ବର୍ଷ ଧରି ‘ଚତୁରଙ୍ଗ’ ତାର ବଳିଷ୍ଠତା ମାଧ୍ୟମରେ ନିଜକୁ ସମୃଦ୍ଧ ରଖିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା । ତେବେ କୋଶଳ କଳାମଣ୍ଡଳର ୭୫ ବର୍ଷ ପୂର୍ତ୍ତି ଓ ପ୍ଲାଟିନମ୍‌ ଜୁବୁଲି ଅବସରରେ ମର୍ଯ୍ୟାଦାବନ୍ତ ‘ଚତୁରଙ୍ଗ’ର ନବପ୍ରକାଶ ପ୍ରଥମ ସଂଖ୍ୟା ଆତ୍ମପ୍ରକାଶ କରିଛି । ଅନେକ ଆଶା ଓ ସମ୍ଭାବନାର ସ୍ୱପ୍ନ ଦେଇଛି ବଲାଙ୍ଗିରର ସାହିତ୍ୟ, ସଂସ୍କୃତି ଜଗତକୁ ।

ତେବେ ନବପ୍ରକାଶ ‘ଚତୁରଙ୍ଗ’ର ସଂପାଦକ ଭାବେ ଡ. ସନ୍ତୋଷ କୁମାର ରଥ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପରିଚାଳନା ସଂପାଦକ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ଦାୟିତ୍ୱ ନେଇଛନ୍ତି । ଏହାର ସଂପାଦନା ମଣ୍ଡଳୀରେ ଅଛନ୍ତି, ସନାତନ ଠାକୁର, ଡା.ମଂଜୁବାଳା ପଣ୍ଡା, ଭାଗିରଥୀ ମିଶ୍ର, ସୁଷମା ମଂଜରୀ ନାୟକ, ଆନଂଦ ଚଂଦ୍ର ସାହୁ, ଡ. ସଂଜୟ କୁମାର ମିଶ୍ର, ସଂଦୀପ କୁମାର କୁଅଁର, ନିଗମାନନ୍ଦ ନାଥ, ବୀରେନ୍ଦ୍ର କୁମାର ଝାଙ୍ଗର ଓ ବିଭୁକଲ୍ୟାଣ ଗଡ଼ତ୍ୟା । ଚତୁରଙ୍ଗ ପ୍ରକାଶନ ଉପଦେଷ୍ଟା ମଣ୍ଡଳୀରେ ରହିଛନ୍ତି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା, ଡା. ଜ୍ୟୋତ୍ସ୍ନାମୟୀ ମହାପାତ୍ର, ପ୍ରଫେସର ମଧୁସୂଦନ ପତି, ଡ. ହରିଶଙ୍କର ବଡ଼ପଣ୍ଡା, ଗୋପବନ୍ଧୁ ରଥ, ଡ. ଶିବପ୍ରସାଦ ନନ୍ଦ, ଡା. ଜ୍ୟୋତିର୍ମୟୀ ସାହୁ, ସତ୍ୟନାରାୟଣ ବେହେରା ଓ ଦୟାନିଧି ଆଚାର୍ଯ୍ୟ ।

ତେବେ ‘ଚତୁରଙ୍ଗ’ ନବପ୍ରକାଶର ପ୍ରଥମ ସଂଖ୍ୟାରେ ବହୁ ଉପାଦେୟ ଲେଖା ରହିଥିବା ବେଳେ ଏହା ଲୋକପ୍ରିୟତା ଅର୍ଜନ କରିବ ବୋଲି ସଂପାଦନା ମଣ୍ଡଳୀ ବିଶ୍ୱାସ ରଖିଛନ୍ତି । ‘ଚତୁରଙ୍ଗ’ ତ୍ରୟମାସିକ ରୂପେ ପ୍ରତି ଏପ୍ରିଲ, ଜୁଲାଇ, ଅକ୍ଟୋବର ଓ ଜାନୁଆରୀ ମାସରେ ପ୍ରକାଶ ପାଇବ ବୋଲି କୁହାଯାଇଥିବା ବେଳେ ଏହାର ପ୍ରତି ସଂଖ୍ୟାର ମୂଲ୍ୟ ୫୦ ଟଙ୍କା ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.