ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଟେକି ନେଇ ନିସ୍ତୁକ ପିଟିଲେ ଛାତ୍ର, ଅଣଛାତ୍ର : ଭିଡ଼ିଓ ଭାଇରାଲ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଏକ ନିଛାଟିଆ ‌ସ୍ଥାନରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଛାତ୍ରଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଛାତ୍ର ଓ ଅଣଛାତ୍ର ମାନେ ନିର୍ଧୁମ ଭାବରେ ମାଡ଼ ମାରିଛନ୍ତି, ଯାହାର ୬ ମିନିଟର ଏକ ଭିଡ଼ିଓ ଭାଇରାଲ ହୋଇଛି । କୌଣସି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ସଂପୃକ୍ତ ଛାତ୍ର ଙ୍କୁ ମାଡ଼ ମାରିବାସହ ଗୋଡ ଧରିବା ପାଇଁ ବାଧ୍ୟ କରିଛନ୍ତି । ଭିଡ଼ିଓଟି ଗତ ୫ତାରିଖର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, କୌଣସି ଏକ ଘଟଣାକୁ ନେଇ ସ୍ଥାନୀୟ ହାତୀସାଲପଡ଼ାଠାରେ ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ର ବିହାନ ଅଗୱାଲ ମାଡ଼ ମାରିଥିବା ଛାତ୍ରମାନଙ୍କ ସହ ଗଣ୍ଡଗୋଳ କରିଥିଲେ । ଏହାପରେ ଗତ ୫ ତାରିଖରେ ବିହାନଙ୍କ ସହ ଗଣ୍ଡଗୋଳ ହୋଇଥିବା ଛାତ୍ର ଗୋଷ୍ଠୀ କେତେକ ଅଣଛାତ୍ରଙ୍କ ସହ ବିହାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ ଜୋର୍‌ ଜବରଦସ୍ତ ଉଠାଇ ବିଶ୍ୱବିଦ୍ୟାଳୟ ପଛପଟେ ଥିବା ନିଛାଟିଆ ‌ସ୍ଥାନକୁ ନେଇ ଯାଇଥିଲେ । ପରେ ଏକ ଗଛ ତଳେ ବିହାନଙ୍କୁ ପ୍ରବଳ ମାଡ଼ ମାରିଥିଲେ । ତେବେ ମାଡ ଖାଉଥିବା ଛାତ୍ର ଜଣକ ଏକାକୀ ଥିବା ବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ ରୁ ୪ ଜଣ ଅଣଛାତ୍ର ରହିଛନ୍ତି । ଏହି ଘଟଣାକୁ ନେଇ ଟାଉନ ଥାନାରେ କୌଣସି ଅଭିଯାଗ ହୋଇନଥିବା ବେଳେ ଭାଇରାଲ ଭିଡିଓକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରଥିବା ଜଣାପଡିଛି ।

Leave A Reply

Your email address will not be published.