jayashree

୪ ଦିନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ, ଏନ୍‌କାଉଣ୍ଟର୍‌ ସ୍ଥଳରେ କୁମ୍ବିଂ ଜାରି, ବିପୁଳ ସାମଗ୍ରୀ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) :ଚାରି ଦିନ ପୁଲିସ ସହ ଲୁଚକାଳି, ଦ୍ବନ୍ଦ୍ବଯୁଦ୍ଧ, ରହି ରହି ଗୁଳି ବିନିମୟ ଚଳାଇଥିଲେ । ଶେଷରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲାମ୍ପାରା ଗ୍ରାମ ନିକଟ ଜଙ୍ଗଲରୁ ପୁଲିସ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି । ମାଓ ପଲଟଣ ଚାଲିଯିବା ପରେ ପୁଲିସ ଟିମ୍‌ କୋଲାମ୍ପାରା ଅଞ୍ଚଳରୁ ସେମାନଙ୍କ ଏକ ଅସ୍ଥାୟୀ କ୍ୟାମ୍ପ୍‌ ଠାବ କରିଛି । ପୁଲିସ ଟିମ୍‌ ଘଟଣା ସ୍ଥଳରୁ ଦୁଇଟି ସୋଲାର୍‌ ପ୍ଲେଟ୍‌, ବିଜୁଳି ତାର, ଔଷଧ, ମାଓ ପତ୍ରିକା, ଛତା, ଜୋତା, ବାସନକୁସନ, ଘଣ୍ଟା, ମୋବାଇଲ୍‌ ବ୍ୟାଟେରି, ଚାର୍ଜର, ଟର୍ଚ୍ଚ ଲାଇଟ୍‌ ଜବତ କରିଛି । ଗୋଛାପଡ଼ା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇ ଗତ ୪ ତାରିଖରେ କନ୍ଧମାଳ ପୁଲିସର ଆଣ୍ଟି ନକ୍ସଲ ଅପରେସନ୍‌ ଟିମ୍‌ ସେଠାରେ ଚଢ଼ଉ କରିଥିଲା । ଏସ୍‌ଓଜି ଏବଂ ଡିଭିଏଫ୍‌ ପୁଲିସ ଫୋର୍ସକୁ ନେଇ ଗଠିତ ଆଣ୍ଟି ନକ୍ସଲ ଅପରେସନ୍‌ ଟିମ୍‌ କୋଲାମ୍ପାରାରେ ଚଢ଼ଉ କରିବା ପରେ ସେଠାରେ ଥିବା ମାଓବାଦୀଙ୍କ ସହ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପୁଲିସ ମାଓବାଦୀଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କହିଥିଲା । ମାତ୍ର ମାଓବାଦୀମାନେ ପୁଲିସ ଉପରକୁ ଗୁଳି ବର୍ଷଣ କରିଥିଲେ । ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ପୁଲିସ-ମାଓବାଦୀ ଗୁଳି ମିନିମୟରେ କୌଣସି ପୁଲିସ ମୃତାହତ ହୋଇନାହାନ୍ତି । ତେବେ ମାଓବାଦୀମାନେ ଆହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଜଣାପଡ଼ିନାହିଁ । ବର୍ତ୍ତମାନ ପର୍ୟ୍ୟନ୍ତ ସେ ଅଞ୍ଚଳରେ କୁମ୍ବିଂ ଅପରେସନ୍‌ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି । ଗୋଛାପଡ଼ା ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଦୀର୍ଘଦିନ ଧରି ମାଓବାଦୀ ଡେରା ପକାଇଥିବା ନେଇ ପୁଲିସ ପାଖରେ ସୂଚନା ଥିଲା । ଆଣ୍ଟି ନକ୍ସଲ୍‌ ଟିମ୍‌ ସେଠାରେ କୁମ୍ବିଂ ଅପରେସନ୍‌ ଜାରି ରଖିଛି ବୋଲି କନ୍ଧମାଳ ଏସ୍‌.ପି ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି । ଗୁଳିବିନିମୟ ବେଳେ ଘଟଣାସ୍ଥଳରେ ୨୦ରୁ ୨୫ ଜଣ ଜଣ ମାଓବାଦୀ ଥିଲେ ଏବଂ ସେମାନେ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ଡିଭିଜନ୍‌ର ବୋଲି ଏସ୍‌.ପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଅଞ୍ଚଳରେ ଦୀର୍ଘଦିନ ଧରି ମାଓ ଗତିବିଧି ଜାରି ରହିଛି । ପୁଲିସ ଏହା ଉପରେ କଡ଼ା ନଜର ରଖିଛି ।

Leave A Reply

Your email address will not be published.