jayashree

ଦେଓଗାଁ ବ୍ଲକ କଳା, ସଂସ୍କୃତି ସଂଘ ପକ୍ଷରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମରେ ମଞ୍ଚରେ ଭଜନ, ଲୋକଗୀତ ଗାଇ ଦର୍ଶକଙ୍କୁ ଝୁମାଇଲେ ବିଡିଓ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଅନ୍ତର୍ଗତ କଛାରପାଲି ରଣାପଡ଼ା ସ୍ଥିତ ଜୟ ଦୁର୍ଗା କ୍ଲବ୍‌ ଦୁର୍ଗା ମଣ୍ଡପ ପରିସରରେ ମଙ୍ଗଳବାର ଦିନ ଦେଓଗାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ସୁଦାମ ବିଶିଙ୍କ ସଭାପତିତ୍ୱ ଓ ବରିଷ୍ଠ କଳାକାର ଅବନିକାନ୍ତ ପଧାନ ସଭା ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାର ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଲୋକଗୀତ କଣ୍ଠଶିଳ୍ପୀ ତଥା ଆକାଶବାଣୀ ନାଟକ ଏକାଡେମୀ ସଦସ୍ୟ ନବୀନ କୁଅଁର, ସ୍ଥାନୀୟ ଜୟଦୁର୍ଗା କ୍ଲବ୍ ଦୁର୍ଗାପୂଜା କମିଟି ସଭାପତି ଅଜୟ ରଣା, ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ବରିଷ୍ଠ ଲୋକଗୀତ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର, ବରିଷ୍ଠ ଲୋକଗୀତ କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ, ବଲାଙ୍ଗିର ବରିଷ୍ଠ ଲୋକକଳା ସଂଘର ବାସୁଦେବ ସା, କଳା ସଂଗଠକ ପ୍ରଦୀପ ଛତ୍ରିଆ ଓ କେଶବ ରଣା ପ୍ରମୁଖ ମଞ୍ଚାସୀନ ହୋଇ ଆଞ୍ଚଳିକ କଳା ଓ ସଂସ୍କୃତିର ସୁରକ୍ଷା ତଥା ନୂଆଁଖାଇର ପାରମ୍ପରିକ ଭାତୃଭାବ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ନବୀନ କୁଅଁର, ବିଳମ୍ବ କୁମ୍ଭାର, ପ୍ରଦୀପ ଛତ୍ରିଆ, ବାସୁଦେବ ସା, ପୂର୍ଣ୍ଣିମା ନନ୍ଦଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କଳାକାର ଶରତ ପୁଟେଲ ସଭା ସଂଯୋଜନା କରିଥିବା ବେଳେ ଅତିଥିମାନେ ଉପସ୍ଥିତ କଳାକାର ଓ ଜନସାଧାରଣଙ୍କୁ ନୂଆଁଖାଇ ଭେଟଘାଟର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଦେଓଗାଁ ବିଡିଓ ପ୍ରିୟରଞ୍ଜନ କୁମାର ନିଜେ ମଞ୍ଚରେ ଏକାଧିକ ସମ୍ବଲପୁରୀ ଲୋକଗୀତ ଓ ଭଜନ ଗାଇ ଶ୍ରୋତାଙ୍କୁ ମନମୁଗ୍ଧ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ କୁନି କୁନି ଶିଶୁ କଳାକାର ଓ ବ୍ଲକ୍ କଳା ସଂସ୍କୃତି ସଂଘର ସଦସ୍ୟମାନଙ୍କ ଦ୍ୱାରା ଲୋକକଳା, ପାରମ୍ପରିକ ସଙ୍ଗୀତ, ବାଦ୍ୟ ଓ ଅଭିନୟ ପରିବେଷଣ ହୋଇଥିଲା । ଏହାରି ମଧ୍ୟରେ ଶମ୍ଭୁ ଭୂଷଣ ଏବଂ ସାଥୀ, ବଙ୍କିଆମୁଣ୍ଡା କରମସାନି ଦଳ, ରାଏପାଲିର ଘୁଡୁକା, ଦେଓଗାଁ କଲେଜ ପଡ଼ାର ଜାଇଫୁଲ, ରଣାପଡ଼ାର ଡାଲଖାଇ ନୃତ୍ୟ, ଥକାମନ ମହାକୁରଙ୍କ ହଲିଆ ଗୀତ ଦର୍ଶକଙ୍କ ବେଶ୍ ମାନମୋହିଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ କଳାପ୍ରେମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.