
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ପ୍ରତ୍ୟେକ ଦିନ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁ ଥିବା ବେଳେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଚିନ୍ତା ଓ ପୀଡା ଦେଖା ଦେଇଛି । ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ସରକାର ପାଖରେ କୌଣସି ସଦଇଛା ନାହିଁ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ଏହାକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଅଫିସରେ ଲିଖିତ ଅଭିଯୋଗ କରିଛି । ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି, ଶୀତତାପ ନିୟନ୍ତ୍ରୀତ କୋଠରୀରେ ବୈଠକ ହେଉଛି କିନ୍ତୁ ଏହାର କୌଣସି ସୁଫଳ ଦେଖାଇବାକୁ ମିଳୁନାହିଁ, ଟ୍ରାଫିକ ନିୟନ୍ତ୍ରଣ, ପୋଲିସ, ରାସ୍ତାର ଡିଜାଇନ, ଫ୍ଲାଇ ଓଭର, ଅଣ୍ଡର ପାସ, ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରିବା ଏବଂ ସାଧାରଣ ଲୋକମାନେ କିପରି ସୁରକ୍ଷିତ ଭାବେ ଯାତାୟାତ କରି ପାରିବେ ସେ ବିଷୟରେ ସରକାର କୌଣସି ଠୋସ ପଦକ୍ଷେପ ନେଉ ନାହାନ୍ତି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ତେଣୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଗୋଟିଏ ଜରୁରୀ ବୈଠକ ବିଭିନ୍ନ ସଂଗଠନକୁ ଡାକି ଆଲୋଚନା କରିବା ସହ ସ୍ଥାୟୀ ସମାଧାନ ପାଇଁ ଆପ୍ ଦାବୀ କରିଛି । ନାରୀ ନେତ୍ରୀ ମାରିୟମ ବାର୍ଲା, ଜିଲ୍ଲା ପରିଷଦ ଜୋନ ଇନଚାର୍ଜ ମିଲୁ ନାଗ, ଅସିତ ସାହୁ, ସୁଦାମ ସାହୁ, ଖୁସନୁମା ବେଗମ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।