
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ବିବେକାନନ୍ଦ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଆର୍ଥିକ ଅନଗ୍ରସର ଓ ହମିରପୁର ଗ୍ରାମବାସୀଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାମକୃଷ୍ଣ ସଂଘ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମିଶନ ଠାରୁ ୨ ଶହ ମିଟର ଦୂରରେ ଏଥିପାଇଁ ସ୍ଥାନଟିଏ କିଣାଯାଇ ବେଲୁର ମଠର ସଭ୍ୟ ତଥା ସହାୟକ ସାଧାରଣ ସମ୍ପାଦକ ସ୍ୱାମୀ ବୋଧସରନନ୍ଦଜୀ ଗତ ୨୦୧୬ ଜାନୁଆରୀ ମାସରେ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତେବେ ଗତ ୧୮ ତାରିଖ ଦିନ ଉକ୍ତ କେନ୍ଦ୍ରକୁ ତାଙ୍କରି ହାତରେ ଏହାର ଶୁଭ ଉଦ୍ଘାଟନ କରାଯାଇଛି । ପ୍ରାୟ ହଜାର ବର୍ଗଫୁଟ ସ୍ଥାନରେ ନିର୍ମିତ ଏହି ଦ୍ୱିତାଲା କେନ୍ଦ୍ରର ଉପର ମହଲାରେ ସାଧୁ ଓ କର୍ମଚାରୀଙ୍କ ପାଇଁ ନିବାସ କରାଯିବ ଏବଂ ତଳ ମହଲାରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିବ । ଏଥିରେ ଫିଜିଥେରାପି ପାଇଁ ସମସ୍ତ ବ୍ୟବସ୍ଥା ରହିବ । ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ ପର୍ବରେ ସିଟି ଇଂରାଜୀ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ରାୟଙ୍କ ସଂଯୋଜନାରେ ଏକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ ଭାବେ ସ୍ୱାମୀ ବୋଧସରାନନ୍ଦ ଯୋଗଦେଇ ରାମକୃଷ୍ଣ ମିଶନର ବୈଶିଷ୍ଟ୍ୟ, ବିଶ୍ଵଶାନ୍ତି ପାଇଁ ଅବଦାନ, ରାମକୃଷ୍ଣ ଓ ବିବେକାନନ୍ଦଙ୍କ ସନାତନ ଅଦ୍ଵୈତ ବେଦାନ୍ତର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ପାଇଁ ଉଦ୍ୟମ, ଭୁବନେଶ୍ୱରର ୧୧୫ ବର୍ଷର ପୁରାତନ ରାମକୃଷ୍ଣ ମଠ ଓ ମିଶନର ଅଧ୍ୟକ୍ଷ ସ୍ୱାମୀ ଆତ୍ମପ୍ରଭାନନ୍ଦ ମୁଖ୍ୟତଃ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବିବେକାନନ୍ଦଙ୍କ ବାଣୀର ଅବତାରଣା ସହ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ରାଉରକେଲା ମିଶନର ସାଧୁ ମଣ୍ଡଳୀ ସ୍ୱାମୀ ଆତ୍ମପ୍ରଭାନନ୍ଦ, ସ୍ୱାମୀ ପୂଜାନନ୍ଦ, ସ୍ୱାମୀ ଗୋଲକାନନ୍ଦ, ସ୍ୱାମୀ ସୁଧାନନ୍ଦ ବୈଦିକ ଶ୍ଲୋକ ଆବୃତ୍ତି କରିଥିଲେ । ଅନୁଷ୍ଠାନର ମୁଖ୍ୟ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସ୍ୱାଗତ ଭାଷଣ ସହ ଅନୁଷ୍ଠାନ ପ୍ରତି ବିଶେଷ ଅବଦାନ ରଖିଥିବା ଅର୍ଜୁନ ପୁରସ୍କାର ପ୍ରାପ୍ତ ରମେନ ଘୋଷ, ସ୍ୱାମୀ ବୋଧସରାନନ୍ଦ, ଭୁବନେଶ୍ୱର ମଠର ଅଧ୍ୟକ୍ଷ ସ୍ୱାମୀ ଆତ୍ମପ୍ରଭାନନ୍ଦ ଓ ଅନୁଷ୍ଠାନର ସଭାପତି ଭାରତ ଭୁଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସିଟି ଇଂରାଜୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଭାରତମାତାଙ୍କୁ ନିବେଦିତ ଏକ ନୃତ୍ୟ, ତିତିଲି ବାଚିକ ଶିଳ୍ପ କେନ୍ଦ୍ରର ପରିଚାଳକ ପଲ୍ଲବ ଚାଟାର୍ଜୀ ଓ ସୁଚିସ୍ମିତା ବିଶ୍ୱାସଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦଙ୍କ ଏକ ଗୁଢ ଭାବପୂର୍ଣ୍ଣ କବିତା ଆମ୍ବା ମାନୁଷୋ ଗୋଚରମ ଆଧାରରେ ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ମହାନ୍ତି ଆଧ୍ୟାତ୍ମିକତା ଓ ଧର୍ମ ମଧ୍ୟରେ ଥିବା ପାର୍ଥକ୍ୟ, ରାମକୃଷ୍ଣ ମିଶନର ବିଶ୍ୱର ସବୁଠାରୁ ଅଧିକ ପ୍ରାୟ ୩୫୦ ସଂଖ୍ୟକ ଶାଖା ଥିବା ଆଧ୍ୟାତ୍ମିକ ଅନୁଷ୍ଠାନ ସମ୍ପର୍କରେ କହିବା ସହ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୬ ଜଣ ମହାରାଜଙ୍କ ସହ ଭୁବନେଶ୍ୱରରୁ ସ୍ୱାମୀ ଜୀବାନାଥାନନ୍ଦ, କଟକରୁ ସ୍ୱାମୀ ସର୍ବମଙ୍ଗଳାନନ୍ଦ ଯୋଗ ଦେଇଥିଲେ । କଟକ ଶାଖାର ମହାରାଜ ମୁଖ୍ୟଅତିଥିଙ୍କ ଅଭିଭାଷଣକୁ ସଂକ୍ଷିପ୍ତରେ ଓଡିଆରେ ବଖାଣିଥିଲେ । ସନ୍ଧ୍ୟାରେ ସ୍ୱାମୀ ସ୍ୱରୁପାନନ୍ଦ ଓ ସ୍ୱାମୀ ଆତ୍ମପ୍ରଭାନନ୍ଦଙ୍କ ସହ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ସ୍ୱାମୀ ବୋଧସରାନନ୍ଦ ୩ଟି ଗଦାଧର ଅଭ୍ୟୁଦୟ ସଂକଳ୍ପ ପରିଦର୍ଶନ କରିଥିଲେ ।