oom

ଚା’ ଖଟିରେ ଦାଦନ ସର୍ଦ୍ଦାର ସହ ଥାନା ଅଧିକାରୀ

jsmm

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଓ ପାଟଣାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ଗାଁରୁ ପ୍ରତ୍ୟେକ ଦିନ ରାଜ୍ୟ ବାହାରକୁ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ତା ଉପରେ ପଦକ୍ଷେପ ନେଇ ଶ୍ରମିକ ଉଦ୍ଧାର କରୁଥିବା କା ଭା ଦେଖା ଯାଇଥାଏ । ହେଲେ ଦାଦନଗଡ କଣ୍ଟାବାଞ୍ଜିରେ ପାଟଣାଗଡ ଥାନା ଅଧିକାରୀ ଓ ଦାଦନ ସର୍ଦ୍ଦାରଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବେଲପଡା ଥାନା ଅନ୍ତର୍ଗତ ଖଲିପତର ଗାଁର ଦାଦନ ସର୍ଦ୍ଦାର ଶ୍ରୀଧର କୁମାର ଗତ କିଛି ବର୍ଷ ହେବ ପାଟଣାଗଡରେ ବସବାସ କରୁଛନ୍ତି । ଗତ ରବିବାର ଦିନ ପାଟଣାଗଡ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଦାଦନ ସର୍ଦ୍ଦାର ଶ୍ରୀଧର କୁମାରଙ୍କ ସହ ତାଙ୍କ ଚାରି ଚକିଆ ଗାଡିରେ କଣ୍ଟାବାଞ୍ଜି ସହରର ଗୋଟିଏ ଚା’ ଦୋକାନରେ ବସି ଚା’ ପି ପରେ ଏକ ହୋଟେଲରେ ଥାନା ଅଧିକାରୀଙ୍କ ସହ ଦାଦନ ସର୍ଦ୍ଦାର ଶ୍ରୀଧର ଓ ଅନ୍ୟ ସର୍ଦ୍ଦାର ମାନଙ୍କ ବୈଠକ ବସିଥିବା ଚର୍ଚ୍ଚା ହେଉଛି । ଜଣେ ଥାନା ଅଧିକାରୀ ହୋଇ ଦାଦନ ସର୍ଦ୍ଦାରଙ୍କ ସହ ତାଙ୍କ ଗାଡିରେ ବୁଲିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ଦାଦନ ସର୍ଦ୍ଦାର ବେଆଇନ ଭାବେ ଶ୍ରମିକ ଚାଲାଣ କରୁଛି ତା ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ସେହି ଦାଦନ ସର୍ଦ୍ଦାରଙ୍କ ସହ ଥାନା ଅଧିକାରୀ ବୁଲି କ’ଣ ଦାଦନ ଚାଲାଣ ପାଇଁ ସର୍ଦ୍ଦାରଙ୍କୁ ସୁରକ୍ଷା ଦେଉଛନ୍ତି କି ? ବୋଲି ପ୍ରଶ୍ନ ଉଠୁଛି । ଥାନା ଅଧିକାରୀ ଓ ଦାଦନ ସର୍ଦ୍ଦାର ଜଣକ ଉଭୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ ନିର୍ବାଚନ ମଣ୍ଡଳିର । ଦାଦନ ଚାଲାଣ ଉପରେ ରୋକ ଲଗାଇବାକୁ ଉପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇ ଥିବାବେଳେ ସେ ତଦାରଖ କରୁଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳିର ଦାଦନ ସର୍ଦ୍ଦାର ଓ ଥାନା ଅଧିକାରୀ ଆସି ଶ୍ରମିକ ଚାଲାଣ ପାଇଁ କଣ୍ଟାବାଞ୍ଜିରେ ବୈଠକ କରୁଥିବା ଅଭିଯୋଗ ହେଉଛି । ସେପଟେ ଏନେଇ ପାଟଣାଗଡ ଥାନା ଅଧିକାରୀ ହରିବନ୍ଧୁ ଗଡତିଆଙ୍କୁ ପଚାରିବାରୁ ଏକ ମାମଲାକୁ ନେଇ ସେ ତଦନ୍ତ କରିବାକୁ କଣ୍ଟାବାଞ୍ଜି ଆସିଥିଲେ ବୋଲି କହିଛନ୍ତି । ଯଦି ସେ କୌଣସି ମାମଲାକୁ ନେଇ ତଦନ୍ତ କରିବାକୁ ଆସିଥିଲେ ତେବେ ପୋଲିସ ଗାଡି ଛାଡି ଦାଦନ ସର୍ଦ୍ଦାର ଗାଡିରେ କାହିଁକି ଆସିଥିଲେ ? କଣ ରାଜ୍ୟ ପୋଲିସ ପ୍ରଶାସନ ପାଖରେ ଗାଡିର ଅଭାବ ଅଛି କି ? ଦାଦନ ସର୍ଦ୍ଦାରଙ୍କ ସହ ତାଙ୍କ ଗାଡିରେ ଥାନା ଅଧିକାରୀ ବସି କି ତଦନ୍ତ କରୁଛନ୍ତି ? ନା ଶ୍ରମିକ ଚାଲାଣ ପାଇଁ ରୋଡ ମେପ୍ ପ୍ରସ୍ତୁତ କରୁଛନ୍ତି ? ଏହିଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଏହା ଉପରେ ରାଜ୍ୟ ସରକାର ନଜର ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.