ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହଂକଂରେ ହେବାକୁ ଥିବା ବିଶ୍ୱ ତାଏକୋଣ୍ଡୋ ଚାମ୍ପିଅନସିପରେ ଭାରତରୁ ଶ୍ରୁତିକା ଦେବେସୀ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି । ୧୭ ବର୍ଷରୁ କମ୍ ବର୍ଗରେ ସେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୁତିକା ରାଉରକେଲା ବାସନ୍ତୀ କଲୋନୀର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପିତା ବାଙ୍ଗାଲୋରରେ ଚାକିରୀ କରିଥିବାରୁ ସେ ସେଠାରେ ରହି ପଢ଼ାପଢ଼ି କରନ୍ତି । ସେ କର୍ଣାଟକର ଭିକ୍ଟର ତାଏକୋଣ୍ଡୋ ଏକାଡେମୀରେ ୯ ବର୍ଷ ହେବ ଅଭ୍ୟାସ ଜାରି ରଖିଛନ୍ତି । ୫ ବର୍ଷ ବୟସରୁ ଏକାଡେମୀରେ ଯୋଗଦେଇ ସେ କର୍ଣ୍ଣାଟକରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହେବା ସହ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଆଣି ସୁନାମ ଅର୍ଜନ କରିଛନ୍ତି । ସେ ୨୦୧୯, ୨୦୨୧, ୨୦୨୩, ୨୦୨୪ରେ ଜାତୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ବିଶ୍ୱ ଚାମ୍ପିଅନସିପରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ଓ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି । ବାସନ୍ତୀ କଲୋନୀରେ ରହୁଥିବା ତାଙ୍କର ଅଜା ଯୋଗ ଶିକ୍ଷକ ହରିହର ମହାନ୍ତିଙ୍କ ତତ୍ୱାବଧାନରେ ସେ ୩ ବର୍ଷ ବୟସରୁ ଯୋଗରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି ।