jayashree

ନୂଆପଡ଼ାରୁ ବୋଲେରୋ ଭଡାରେ ଆଣି ଦୁର୍ବୃତ୍ତଙ୍କ ମୁରିବାହାଲରେ ଲୁଟ୍ ଉଦ୍ୟମ ବିଫଳ

  • ୩ ଅଭିଯୁକ୍ତ ଥାନାରେ ଅଟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୁଦୂର ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ଏକ ବୋଲେରୋକୁ ଭଡାରେ ଆଣି ଦୁର୍ବୃତ୍ତମାନଙ୍କ ମୁରିବାହାଲ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ ଦୁର୍ବୃତ୍ତଙ୍କୁ ମୁରିବାହାଲ ଥାନା ପୁଲିସ୍ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ନୂଆପଡ଼ା ଜିଲ୍ଲା ସଦର ମହକୁମା ସିରତୋଲ (ୱାର୍ଡ ନଂ ୧୨)ର ସାଲିକ୍ରାମ ଦଣ୍ଡସେନା(୪୬) ଥାନାରେ ଦେଇଥିବା ଲିଖିତ ଏତଲା ଆଧାରରେ ସେ ଦୁଇମାସ ତଳେ କିଣିଥିବା ନିଜର ନୂଆଁ ବୋଲେରୋ(ଓଡ଼ି ୨୬ଜି ୭୪୪୩)କୁ ଆଣି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଘରୋଇ ଭାବେ ଭଡାରେ ଲଗାଉଥିଲେ । ଗୁରୁବାର ଦିନ ସକାଳ ୮.୪୦ରେ ୩ ଜଣ ଅଜଣା ଯୁବକ ସାଙ୍ଗରେ ମେଡିକାଲ୍ କାଗଜ ଧରି ରାଜଖଡ଼ିଆଳ ମେଡିକାଲକୁ ଗାଡ଼ି ଭଡାରେ ଯିବାକୁ କଥାବାର୍ତ୍ତା ହୋଇଥିଲେ । ସେମାନେ ସମସ୍ତେ ବାହାରି ରାଜଖଡ଼ିଆଳ ପହଞ୍ଚିବା ପରେ ତାଙ୍କୁ ମୁରିବାହାଲ ଥାନା ଦେବଙ୍ଗ ଗ୍ରାମକୁ ଯିବାକୁ କହିଲେ । ଦେବଙ୍ଗ ଗ୍ରାମକୁ ଆସିବା ପରେ ଜଣେ ବ୍ୟକ୍ତି ଓହ୍ଲାଇ ଗାଁର କାହା ଘରକୁ ଯାଇ ଫେରି ଆସି ଆମକୁ ମୁରିବାହାଲରେ ଛାଡ଼ି ଦିଅ ବୋଲି କହିଥିଲେ । ଏହାପରେ ସାଲିକ୍ରାମ ସେମାନଙ୍କୁ ଦିନ ୧ଟା ବେଳେ ମୁରିବାହାଲକୁ ଆଣୁଥିବା ବେଳେ ମୁରିବାହାଲ- ଯମୁନା ଗାଁ ମଝି ମାଇନସ୍ ପାଖରେ ଦୁର୍ବୃତ୍ତମାନେ ତାଙ୍କୁ ଗାଡିର ଚାବି ଦେବାକୁ ଧମକ ଦେବା ସହ ଆମେ ଫାଇନାନ୍ସ କମ୍ପାନୀର ଲୋକ ବୋଲି ଗାଡ଼ି ଲୁଟିବାକୁ ଉଦ୍ୟମ କରିବାରୁ ସେ ଏହାକୁ ପ୍ରତିବାଦ କରିଥିଲେ । ଏହି ସମୟରେ ଯମୁନା ଗ୍ରାମର ସ୍ଵେଚ୍ଛାସେବୀ ଯୁବକ ଖଗେଶ୍ୱର ପଧାନ ଏକ ବୁଲେଟରେ ସେହି ରାସ୍ତାରେ ଯାଉଥିବା ବେଳେ ସାଲିକ୍ରାମ ତାଙ୍କୁ ଡାକ ପକାଇଥିଲେ । ଖଗେଶ୍ୱର ସେହି ସ୍ଥାନକୁ ପହଞ୍ଚି ମୁରିବାହାଲ ଡ୍ରାଇଭର ସଂଘ ସଭାପତି ଭିକି ମହାରଣା ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଡାକିଥିଲେ । ସେମାନେ ସମସ୍ତେ ପହଞ୍ଚି ତିନିଜଣ ଦୁର୍ବୃତ୍ତଙ୍କ ସହ ଲୁଟ ଉଦ୍ୟମ କରୁଥିବା ବୋଲେରୋକୁ ଥାନାରେ ଆଣି ଜିମା ଦେଇଥିଲେ । ଯମୁନା ଗ୍ରାମର ସ୍ଵେଚ୍ଛାସେବୀ ଯୁବକ ଖଗେଶ୍ୱର ଓ ମୁରିବାହାଲ ବ୍ଲକ ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ବୃତ୍ତଙ୍କ ବୋଲେରୋ ଲୁଟ୍ ଉଦ୍ୟମ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବୋଲେରୋ ଗାଡ଼ି ମାଲିକ ତଥା ଡ୍ରାଇଭର ସାଲିକ୍ରାମଙ୍କ ଏତଲା ଆଧାରରେ ପୁଲିସ ଥାନାରେ ୩ ଦୁର୍ବୃତ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.