ଧିରେ ଧିରେ ଖୋଲୁଛି ରହସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ ଭିତରୁ ତଂଟି କଟା ଅବସ୍ଥାରେ ହଳେ ଯୁବକ ଯୁବତୀଙ୍କର ମୃତଦେହ ଉଦ୍ଧାର ଘଟଣା ଅନେକ ଦିଗ ଆଜି ଉନ୍ମୋଚିତ ହୋଇଥିବା ବେଳେ ମୃତ ଯୁବକ ଯୁବତୀ ଝାରଖଣ୍ଡ ଅଂଚଳର ବୋଲି ସ୍ପଷ୍ଟ ହୋଇଯାଇଛି । ଏପରିକି ମୃତ ଯୁବକ ଜଣକ ଜାଭେଦ୍‌ ଓ ସେ ମୁସଲ୍‌ମାନ୍‌ ସଂପ୍ରଦାୟର ଏବଂ ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ପଲକ୍‌ ମିଶ୍ରା ଓ ସେ ହିନ୍ଦୁ ସଂପ୍ରଦାୟର ବୋଲି ସେମାନଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ସଂଧ୍ୟାରେ ଉଭୟ ପରିବାରର ସଦସ୍ୟମାନେ ଆସି ଯୁବକ ଯୁବତୀଙ୍କ ଶବ ଚିହ୍ନଟ କରିଥିବା ବେଳେ ଆଇନ ଅନୁସାରେ ମୃତ୍ୟୁବରଣ କରିଥିବା ଯୁବକ ଯୁବତୀଙ୍କ ଶବ ହସ୍ତାନ୍ତର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଘଟଣାରେ ଅନେକ ସଂଦେହ ଛନ୍ଦି ହୋଇ ରହିଥିବା ସାଧାରଣରେ ଆଲୋଚନା ହେଉଛି । ମୃତ ଯୁବକ ଯୁବତୀ ଦୁହେଁ ବେଆଇନ୍‌ ଡ୍ରଗ୍ସ ଚୋରାଚାଲାଣ କାରବାରରେ ସଂପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାେର ବ୍ୟବହୃତ ଏକ କାର୍‌ ମଧ୍ୟ ପୋଲିସ ଜବତ୍‌ କରି ସାରିଥିବା ଜଣାପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ସଦସ୍ୟ ଗଣମାଧ୍ୟମ ଆଗରେ ସୂଚନା ଦେବା ସମୟରେ ସେମାନେ ମୃତକମାନଙ୍କ ହତ୍ୟାକାଣ୍ଡର ଉଚିତ୍‌ ତଦନ୍ତ ଦାବି କରି ନଥିବା ବେଳେ ମୃତକ ଦୁହେଁ ବାରମ୍ବାର ବଲାଙ୍ଗିରକୁ ବୁଲିବାକୁ ଆସୁଥିବା କହିଛନ୍ତି । ସେମାନେ କାହିଁକି ବୁଲିବାକୁ ଆସୁଥିଲେ, ସେମାନଙ୍କ ମଧ୍ୟରେ କ’ଣ ସଂପର୍କ ରହିଥିଲା, କାହିଁକି ସେମାନେ ହତ୍ୟାକାଣ୍ଡର ଶିକାର ହେଲେ, କେଉଁ ପରିସ୍ଥିତିରେ ନିଛାଟିଆ ଜଂଗଲ ଭିତରେ ଦୁହେଁ ହତ୍ୟାକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏଭଳି ଅନେକ ପ୍ରଶ୍ନ ଏବେ ଘଟଣାରେ ଛନ୍ଦି ହୋଇ ରହିଥିବା ଆଲୋଚନା ହେଉଛି । ତେବେ ଖୁବ୍‌ଶୀଘ୍ର ବଲାଙ୍ଗିର ପୋଲିସ ସଂପୃକ୍ତ ବହୁଚର୍ଚ୍ଚିତ ନୃଶଂସ ହତ୍ୟାକାଣ୍ଡର ଖୁଲାସା କରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.