ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ତାପିତଙ୍କ ସମସ୍ୟା ସରିନଥିବା ବେଳେ ପ୍ରକଳ୍ପ ସନ୍ନିକଟ କିଛି ଗ୍ରାମବାସୀ ଏବେ ଏଥି ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଲୋଇସିଂହା ବ୍ଲକ ବାନିପାଲି ପଞ୍ଚାୟତ ଦାଣ୍ଡପାଣିଠାରୁ ତବଳବାଞ୍ଜି ରାସ୍ତାରେ ରେଙ୍ଗାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାକାମ ଚାଲୁଥିଲା । ଏଥିପାଇଁ ରାସ୍ତାରେ ଥିବା ଏକ ଅଣ ଓସାରିଆ ପୋଲକୁ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇ ନୂତନ ପୋଲ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିଲା । ତେବେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଦାଣ୍ଡପାଣି ଗ୍ରାମ ବୁଡ଼ିଯିବ ବୋଲି ଆଶଙ୍କା କରି ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣା ଉକ୍ତ ରାସ୍ତାକାମକୁ ବନ୍ଦ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ରାସ୍ତାକାମ ବନ୍ଦ ହେବା ସହିତ ଭଙ୍ଗା ପୋଲ ମଧ୍ୟ ସେଭଳି ଭାବେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପଟେ ପୋଲ ଭଙ୍ଗା ଯାଇଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ରାସ୍ତାକାମ ନ ହେଲା ନାହିଁ, ଅତି କମରେ ପୋଲଟିକୁ ପୁନଃ ନିର୍ମାଣ କରିବା ସକାଶେ ସ୍ଥାନୀୟ ବାସିନ୍ଦା ବଲାଙ୍ଗିର ଜିଲ୍ଲାପାଳଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ, ଲୋଇସିଂହା ବିଡ଼ିଓ, ବିଧାୟକ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଲୋକେ ନିଜ ପରିଶ୍ରମରେ ସେଠାରେ ଏକ କାଠପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି । ତେବେ ବର୍ଷାଦିନରେ କାଠ ଦୁର୍ବଳ ହୋଇ ଧନ ଜୀବନ ହାନି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇବାକୁ ଲୋକେ ଚେତାବନୀ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ଏଥି ପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇ ଏକ ସ୍ଥାୟୀ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବା ସକାଶେ ରେଙ୍ଗାଲି ସରପଞ୍ଚ ହିମାଚଳ ମେହେର ଦାବି କରିଛନ୍ତି ।