
- ୧୫୫ଟି ପ୍ରକଳ୍ପ ପ୍ରଦର୍ଶିତ, ଜିଲ୍ଲାସ୍ତର ପାଇଁ ୭ ଜଣ ବାଲ୍ ବୈଜ୍ଞାନିକ ମନୋନୀତ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ନଅଗାଁ-କଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି ବିଜ୍ଞାନ ମେଳାରେ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ୧୫୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ବିଜ୍ଞାନ ପତାକା ଉତ୍ତୋଳନ କରି ମେଳାର ଶୁଭ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା ଓ ନବସୃଜନର ବିକାଶ ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଗଲପୁର ତହସିଲଦାର ନବକିଶୋର ପାଢ଼ୀ ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ, ବ୍ଲକ୍ ବିଜ୍ଞାନ ଆବାହକ ଶ୍ରୀପତି ପଟେଲ, ବ୍ଲକ୍ ବିଜ୍ଞାନ ସଂଯୋଜକ ତାରାକାନ୍ତ ମିଶ୍ର ଓ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଭୋଇ ଉପସ୍ଥିତ ଥିଲେ । ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରୁ ଶ୍ରେଷ୍ଠ ୭ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ କରାଯାଇଛି । ଏହା ସହିତ ବ୍ଲକ୍ ସ୍ତରୀୟ ପିଏମ୍ ଶ୍ରୀ ମେଳା ଓ ଏନର୍ଜି କ୍ଲବ୍ ମଡେଲ୍ ପ୍ରଦର୍ଶନୀ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ପିଏମ୍ ଶ୍ରୀ ମେଳାରେ ଶ୍ରେଷ୍ଠ ୫ଟି ସିନିୟର ଓ ୫ଟି ଜୁନିୟର ପ୍ରକଳ୍ପ ବଛାଯାଇଥିବା ବେଳେ ଏନର୍ଜି କ୍ଲବ୍ ମଡେଲ୍ ପ୍ରଦର୍ଶନୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜାତୀୟ ବିଜ୍ଞାନ ସେମିନାର, ନୂଆଦିଲ୍ଲୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଏଭି ଝାରମୁଣ୍ଡାର ଛାତ୍ରୀ ସୌମ୍ୟାଶ୍ରୀ ଥନାପତିଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଜାପାନରେ ଆୟୋଜିତ ଆନ୍ତର୍ଜାତିକ ବିଜ୍ଞାନ ମେଳାରେ ପୁରସ୍କୃତ ହୋଇଥିବା ରାଜୁ ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପୂର୍ବତନ ବ୍ଲକ୍ ବିଜ୍ଞାନ ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନ ଜଣାଯାଇଥିଲା । ବିଚାରକ ଭାବେ ସରୋଜ କୁମାର ହୋତା, ସୁଧାନିଧି ମିଶ୍ର, ଶ୍ରୀମତୀ ସଞ୍ଜିବନୀ ପଣ୍ଡା, ଶ୍ରୀମତୀ ବି. ଜସ୍ମିନ୍ ଜଲି, ଶ୍ରୀମତୀ ରିତୁପ୍ରୀୟା ନନ୍ଦ ଓ ଶ୍ରୀମତୀ ଅରୁନ୍ଧତୀ ବଢ଼େଇ ଦାୟିତ୍ୱ ତୁଳାଇଥିଲେ । ସିଆର୍ସିସି ରମେଶ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସିଆର୍ସିସି ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ବୈଜ୍ଞାନିକ ଚିନ୍ତାଧାରା ଓ ଗବେଷଣାମୂଳକ ମନୋଭାବ ସୃଷ୍ଟି କରିବା ଦିଗରେ ଏହି ପ୍ରୟାସ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।