
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବୁଧବାର ୧୦୦ ଦିନିଆ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ଅଭିଯାନ ଆଗାମୀ ୧୦୦ ଦିନ ଧରି ଗଞ୍ଜାମ ଜିଲ୍ଲାର ୧୦୦ଟି ଅତି ସମ୍ବେଦନଶୀଳ ଗ୍ରାମ ଓ ୱାର୍ଡରେ ଚାଲିବ । ଏହି ଅବଧି ମଧ୍ୟରେ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି, ଅଧିକାରୀ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଏବଂ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହାଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ମହିଳା ସୁରକ୍ଷା ଅଧିକାରୀ, ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅଧିକାରୀ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକମାନେ ଅତିଥି ଭାବେ ଯୋଗଦେଇଥିଲେ । ବାଲ୍ୟ ବିବାହ ଏକ ସାମାଜିକ କୁପ୍ରଥା, ଯାହାକି ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଝିଅମାନେ ଶିକ୍ଷିତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ନିଜର ସ୍ୱପ୍ନ ସାକାର କରିବା ପାଇଁ ସମାଜର ସମସ୍ତ ବର୍ଗର ସହଯୋଗ ଆବଶ୍ୟକ । ବାଲ୍ୟ ବିବାହ ରୋକିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି କୁହାଯାଇଛି ।