ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥକୁ ଛତ୍ରପୁରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀମନ୍ଦିରରୁ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥ ସୋମବାର ଛତ୍ରପୁର ସହର ପରିକ୍ରମଣ କରିଛି । ଛତ୍ରପୁର ସହରରେ ପଦାର୍ପଣ ବେଳେ ଜଗନ୍ନାଥଙ୍କ ଅର୍ପଣ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସହରର ରିକାପଲ୍ଲୀ ଛକ ଦେଇ ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ମିଶନଶକ୍ତିର ମାଆମାନେ, ଏସ୍.ଏଚ୍‌.ଜି. ମହିଳା, ଅଙ୍ଗନାୱାଡ଼ି, ପ୍ରମୁଖ ବହୁ ମହିଳା ଗୋଷ୍ଠୀ, ଏବଂ ଗଣ୍ୟମାନ୍ୟ ନେତ୍ତୃବର୍ଗଙ୍କ ସମେତ ବହୁ ଭକ୍ତ ଜୟ ଜଗନ୍ନାଥ ଅର୍ପଣ ରଥକୁ ଉତ୍ସାହର ସହ ସ୍ୱାଗତ କରି ପୂଜାର୍ଚ୍ଚନା ସ୍ୱରୂପ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ପରିକ୍ରମଣ ବେଳେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ନିମନ୍ତେ ଶଙ୍ଖ, ମହୁରୀ, ଢୋଲ ବାଦ୍ୟଧ୍ଵନି ଏବଂ ସଂକୀର୍ତ୍ତନ ମଣ୍ଡଳୀଙ୍କ ଗିନି ମୃଦଙ୍ଗରେ ସ୍ଥାନଟି ଆଧ୍ୟାତ୍ମିକ ଭକ୍ତି-ଭାବାପନ୍ନରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ରଥଟିକୁ ନଡ଼ିଆ ଭାଙ୍ଗି କର୍ପୂର ଆଳତୀରେ ସ୍ୱାଗତ କରିଥିଲେ । ଏଥିସହ ଗଞ୍ଜମ ଜିଲ୍ଲା ସହରାଞ୍ଚଳ ନିର୍ବାହୀ ଅଧିକାରୀ ନୀଳମାଧବ ଭୋଇ, ଏନ୍.ଏ.ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍.ଏ.ସି ଉପାଧ୍ୟକ୍ଷ ଜି.ପାପା ରାଓ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ଓ ସମସ୍ତ ଜନପ୍ରତିନିଧି, ଏସ୍.ଏଚ.ଜି. ମହିଳାମାନେ ହୁଳାହୁଳି ଦେବା ସହ ଅକ୍ଷତ ଫୁଲରେ ଭବ୍ୟ ସ୍ୱାଗତ କରିଥିଲେ । ସୋମବାର ଛତ୍ରପୁର ଏନ୍.ଏ.ସି.ର ୭ ଓ ୮ ନମ୍ୱର ୱାର୍ଡ ଏବଂ ମଙ୍ଗଳବାର ଅପର-ବସଷ୍ଟାଣ୍ଡ, ସୀତାରାମପଲ୍ଲୀ ଏରିଆର ଘର ଘର ଓ ସାହିରେ ପରିକ୍ରମଣ କରିଛି । ଏଠାରେ ସୂଚନାଯୋଗ୍ୟ ଯେ’ ଜାନୁୟାରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ନଗର, ଗ୍ରାମ ଅଞ୍ଚଳରେ ବୁଲି ଘର ଘର, ସାହି ସାହିରେ ଭକ୍ତଙ୍କଠାରୁ ଅର୍ପଣ କରାଯାଇଥିବା ଗୁଆ, ଚାଉଳ ସଂଗ୍ରହ କରାଯାଇ ସେହି ଦ୍ରବ୍ୟ ଶ୍ରୀମନ୍ଦିର ପଠାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.