ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଶିକ୍ଷାନୁଷ୍ଠାନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଇତ୍ୟବସରରେ ବିଶ୍ୱବିଦ୍ୟାଳୟର ସଭାଗୃହରେ ଏକ ଭବ୍ୟ ସଭା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା । ଏହି ସଭା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ରାଜ୍ୟର ବୟୋଜ୍ୟେଷ୍ଠ ଶିକ୍ଷାବିତ୍‌ ତଥା ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ପ୍ରାଧ୍ୟାପକ ଡ. ମଧୂସୁଦନ ପତି ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଆୟୋଗୀ ତଥା ସଂପାଦକ ଅରବିନ୍ଦ ଅଗ୍ରୱାଲ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ସଭାର ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ବେଦମନ୍ତ୍ର ପାଠ କରାଯାଇଥିଲା । ପରେ ପରେ ଡ. ପ୍ରତାପ କୁମାର
ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର କୁଳସଚିବ ଯୁଧିଷ୍ଠିର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ନିଜର ସମ୍ଭାଷଣରେ ଉଭୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ରାଜକିଶୋର ପାତ୍ର ଏବଂ କୁଳପତି ମହୋଦୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଅନୁଷ୍ଠାନର ବିଭିନ୍ନ ସମସ୍ୟା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୁଳପତି ମହୋଦୟ ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମଧ୍ୟ ବିଶଦ ଆଲୋଚନା କରିଥିଲେ । ସମ୍ମାନନୀୟ ଅତିଥି ପ୍ରଫେସର ମଧୁସୁଦନ ପତି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଭିଭାବକମାନଙ୍କୁ ଜ୍ଞାନ ଆହରଣର ଆନନ୍ଦ ଏବଂ ଏକ ସଫଳ ବ୍ୟକ୍ତିତ୍ୱର ନିର୍ମାଣ ବିଷୟରେ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଅରବିନ୍ଦ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ତଥା ଅଧ୍ୟବସାୟୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଅଧିକନ୍ତୁ ସେ ତାଙ୍କ ସମ୍ଭାଷଣରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବା ସପକ୍ଷରେ ତାଙ୍କ ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଇତ୍ୟବସରରେ ବିଶ୍ୱବିଦ୍ୟାଳୟର କୁଳପତି କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯୁବ ସାହିତ୍ୟିକ ଡ. ଦିଲ୍ଲୀପ ବେହେରାକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଅବସରରେ ଜଣାଶୁଣା ଓଡିଆ ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ ନିଜର ସ୍ୱକୀୟ ଅଭିମତ ରଖିଥିଲେ । ସଭା ଶେଷରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ନିମନ୍ତ୍ରିତ ଅତିଥି, ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସାମ୍ବାଦିକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାଇ ବିନାୟକ ମିଶ୍ର ଓ ପ୍ରିୟା ମିଶ୍ର, ବେଦ ପାଠ କରୁଥିଲେ ସାଇ ବିନାୟକ ମିଶ୍ର, ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଶିବାଶ୍ରୀ ସାହୁ, ସ୍ୱରୂପା ସିଂ, ପ୍ରିୟା ମିଶ୍ର ।

Leave A Reply

Your email address will not be published.