କୁମ୍ବିଂ ଅପରେସନ ଚାଲିଥିଲା ବେଳେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି । ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଏକ ଷ୍ଟିଲ୍‌ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍‌ଟର ବ୍ୟାଟେରୀ, ଜରି ଟ୍ୟାପ୍‌ ଓ ୨୦ ମିଟର ବିଦ୍ୟୁତ୍ ତାର ଓ ବ୍ଲେଡ ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟ ଟିକରାପଦର ଠାରେ ବିଏସଏଫ ଏବଂ ଏସଓଜି ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ଏକ ଗଛ ନିକଟରେ ଟିଫିନ ବୋମା ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଥିଲା । ଟିଫିନ ବୋମା ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବାହିନୀ ପହଞ୍ଚି ଯିବାରୁ ପ୍ରସ୍ତୁତକାରୀ ଜିନିଷ ଛାଡି ଦେଇ ଚାଲି ଯାଇଥବା ଅନୁମାନ କରାଯାଉଛି ।ବିଏସ୍‌ଏଫ୍‌ର ଡଗ୍‌ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ଠାବ କରିଥିଲେ । ପରେ ଏହାକୁ ବେଶ୍ ସତର୍କତାର ସହିତ ନିଷ୍କ୍ରିୟ କରାଯାଇଥିଲା । କମ୍ବିଂ ଅପରେସନରେ ନିୟୋଜିତ ବିଏସ୍‌ଏଫ ଜବାନ ମାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏହି ଆଇଇଡି (ଓଋଊ) ଖଞ୍ଜିଥିବା କୁହାଯାଉଛି । ପ୍ରକାଶ ଥାଉକି, କିଆମୁଣ୍ଡା ଅଞ୍ଚଳରେ ଗତ ଦିନରେ ମାଇନ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୋଚ୍ଛାପଡା ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟକ ମାଓ ଲିଫଲେଟ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଏସବୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଓ ଗତିବିଧିକୁ ପ୍ରମାଣିତ କରୁଛି । ସୁରକ୍ଷା ବାହିନୀ ପକ୍ଷରୁ ଏହି ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.